ରାଜଧାନୀରେ ମାଆକୁ ଦୁଇ ନାବାଳକ ପୁଅଙ୍କ ହତ୍ୟା ଘଟଣା । ଆକ୍ରମଣ ପରେ ପଶ୍ଚାତାପରେ କ୍ୟାପିଟାଲ ହସ୍ପିଟାଲକୁ ଯାଇ ମାଆକୁ ଖୋଜିଥିଲା ହତ୍ୟାକାରୀ ପୁଅ : ସିସିଟିଭିରେ କଏଦ ପୁରା ଦୃଶ୍ୟ

189

କନକ ବ୍ୟୁରୋ : ରାଜଧାନୀର ସୁନ୍ଦରପଦା ଅଂଚଳରେ ମାଆକୁ ଦୁଇ ପୁଅ ହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଲା ହତ୍ୟାକାରୀ ପୁଅର ସିସିଟିଭି ଚିତ୍ର । କ୍ୟାପିଟାଲ ହସ୍ପିଟାଲ ଅଂଚଳରୁ ମିଳିଥିବା ସିସିଟିଭି ଚିତ୍ରରେ ଦେଖିବାକୁ ମିଳିଛି , ହତ୍ୟା କରିବା ପରେ ବିନୋଦିନୀଙ୍କ ବଡ ପୁଅ ମଧ୍ୟରାତ୍ରିରେ କ୍ୟାପିଟାଲ ହସ୍ପିଟାଲରେ ପହଁଚି ଜଣଙ୍କ ସହିତ କଥା ହେଉଛନ୍ତି । ସାଇକେଲ ଷ୍ଟାଣ୍ଡର ଜଣେ ଲୋକଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିବା ଜଣାପଡିଛି । ତାଙ୍କ ମାଆଙ୍କୁ କେଉଁଠି ଆଡମିଶନ କରାଯାଇଥି ସେ ବିଷୟରେ ଜାଣିବାକୁ ଚାହିଁଚି ବଡ ପୁଅ । ହୁଏତ ହତ୍ୟା କରିବା ପରେ ପୁଅ ମନକୁ ଅନୁତାପ ଆସିଛି ।

ଏବଂ ସେ ମାଆକୁ ଖୋଜି ଡାକ୍ତରଖାନା ଆସିଛି ବୋଲି ଜଣାପଡୁଛି । ସୂଚନା ଅନୁସାରେ ମାଆ ବିନୋଦିନୀଙ୍କୁ କେହି ଆକ୍ରମଣ କରିଥିବା ନେଇ ତାଙ୍କର ବଡ ପୁଅ ମଧ୍ୟରାତ୍ରିରେ ଫୋନ୍ କରିଥିଲେ ତାଙ୍କର ପଡୋଶୀ ପରଭେଜ୍ ଆଲମଙ୍କ ପାଖକୁ । ଏହା ପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ଘଟଣା ଜାଣିବା ପାଇଁ ଆଲମ ଯେତେବେଳେ ବିନୋଦିନୀଙ୍କ ଘରେ ପହଁଚିଲେ ତ ସ୍ତବ୍ଧ ହୋଇଯାଇଥିଲେ । ଡାଇନିଂ ରୁମରୁ ରକ୍ତ ଧାର ଛୁଟିଥିଲା ବାଥରୁମ୍ ଯାଏଁ । ବାଥରୁମରେ ପଡିଥିଲା ରକ୍ତ ଜୁଡୁବୁଡୁ ମୃତଦେହ । ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କଲା ଆଲମଙ୍କ ପାଖକୁ ଆସିଥିବା ଫୋନ୍ ନଂବରରୁ ଆରମ୍ଭ ହେଲା ଖୋଳତାଡ । ଜଣାପଡିିଲା ସେହି ନଂବରଟି କ୍ୟାପିଟାଲ ହସ୍ପିଟାଲର ସାଇକେଲ ଷ୍ଟାଣ୍ଡର ଜଣେ କର୍ମଚାରୀଙ୍କର ।

ପୋଲିସ ସେଠାରେ ପହଁଚି ସିସିଟିଭି ଯାଂଚ କରିବା ପରେ ଦେଖିବାକୁ ମିଳିଥିଲା ବିନୋଦିନୀଙ୍କ ବଡ ପୁଅକୁ । ସେଠାରୁ ସେ ଚାଲି ଯାଇଥିଲେ । ଏହା ପରେ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଭୁବନେଶ୍ୱର ରେଲଷ୍ଟେସନ ନିକଟରୁ ଦୁଇ ଭାଇଙ୍କୁ ଠାବ କରିଥିଲା । ପଚରାଉଚରା ପରେ ହତ୍ୟାକାଣ୍ଡ ବିଷୟରେ ଦୁଇ ପୁଅ କହିଛନ୍ତି , ଭୋକରେ ଆଉଟୁପାଉଟୁ ହୋଇ ଦୁଇ ଭାଇ ଥିଲେ । କିନ୍ତୁ ପ୍ରଚୁର ମଦ ପିଇ ମାଆ ବିନୋଦିନୀ ତାଙ୍କୁ ମାଡ ମାରିଥିଲେ । ଏହା ପରେ , ରାଗରେ ସେମାନେ ମିଶି ହତ୍ୟା କରିଥିବା କହିଛନ୍ତି । କିନ୍ତୁ ପ୍ରକୃତରେ କଣ ଘଟଣା ଘଟିଛି, ଏବଂ ସେମାନେ କାହିଁକି ହତ୍ୟାକାଣ୍ଡ ଘଟାଇଛନ୍ତି ଏନେଇ ପୋଲିସ ତଦନ୍ତ ଜାରି ରହିଛି ।