ବିଏସଏଫକୁ ମିଳିଲା ଅଧିକ କ୍ଷମତା: ପଂଜାବ ଓ ପଶ୍ଚିମବଙ୍ଗରେ ଉତ୍ତେଜନା!

343

କନକ ବ୍ୟୁରୋ: କେନ୍ଦ୍ର ସରକାର ବିଏସଏଫ୍ର କ୍ଷେତ୍ରଅଧିକାର ଅଂଚଳ ପରିସୀମାକୁ ବୃଦ୍ଧି କରିଛନ୍ତି । ଭାରତ- ପାକିସ୍ତାନ ଓ ଭାରତ- ବାଙ୍ଗଲାଦେଶ ସୀମାକୁ ଲାଗି ରହିଥିବା ପଂଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସଏଫକୁ ପୂର୍ବ ତୁଳନାରେ ଏବେ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଏହି ୩ ରାଜ୍ୟରେ ସୀମାନ୍ତରୁ ୫୦ କିଲୋମିଟର ପରିଧି ମଧ୍ୟରେ ବିଏସଏଫ ଯବାନ ନିଜ କ୍ଷମତାର ପ୍ରୟୋଗ କରିପାରିବେ । ଏଥିପାଇଁ ବିଏସଏଫକୁ କାହାର ଅନୁମତି ନେବାକୁ ପଡିବନି । ଏହି ପରିଧି ସୀମା ପୂର୍ବରୁ ୧୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ସୀମାରେ ଆତଙ୍କୀ ଗତିବିଧି ଉପରେ ନଜର ରଖିବା, ଅସ୍ତ୍ରଶସ୍ତ୍ର ଚାଲାଣ ରୋକିବା ନେଇ ବିଏସଏଫକୁ ଏହି କ୍ଷମତା ପ୍ରଦାନ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଛି ।

ବିଏସଏଫର ଏଭଳି ହଠାତ କ୍ଷମତାର ବୃଦ୍ଧି ନିଷ୍ପତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି । ବିଶେଷ କରି ପଂଜାବ ଓ ପଶ୍ଚିମବଙ୍ଗରେ ଏହି ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଛି । ପଂଜାବରେ ଅକାଳୀ ଦଳ ପକ୍ଷରୁ ଏନେଇ ବିକ୍ଷୋଭ କରାଯାଇଛି । ସେହିପରି ପଂଜାବ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛି । ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଟ୍ୱିଟ୍ କରି ଏହି ନିୟମକୁ ତୀବ୍ର ବିରୋଧ କରିଛନ୍ତି । ସେହିପରି ପଂଜାବ ମନ୍ତ୍ରୀ ପରଗତ ସିଂହ କହିଛନ୍ତି କେନ୍ଦ୍ରର ଏଭଳି ନିଷ୍ପତି ରାଜ୍ୟରେ ଗଭରନର ରୁଲ ଲାଗୁ କଲା ଭଳି ହୋଇଛି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ବିଏସଏଫର କ୍ଷମତା ବୃଦ୍ଧି ନିଷ୍ପତିକୁ ବିରୋଧ କରାଯାଇଛି । ମାତ୍ର ଆସାମ ସରକାର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏହି ନିଷ୍ପତି ଅନୁସାରେ
– ବିଏସଏଫ ଯବାନ ଏବେ ସୀମାରୁ ୫୦ କିଲୋମିଟର ପରିଧି ମଧ୍ୟରେ ନିଜର କ୍ଷମତା ପ୍ରୟୋଗ କରିପାରିବେ
– ନିଜ ଇଚ୍ଛାରେ ଗିରଫଦାରୀ କରିପାରିବେ ବିଏସଏଫ ଯବାନ
– ଯେକୌଣସି ସ୍ଥାନରେ ସର୍ଚ୍ଚ ଅପରେସନ୍ କରିପାରିବେ
– କୋଡ୍ ଅଫ କ୍ରିମିନାଲ ପ୍ରୋସିଡର, ଦି ପାସପୋର୍ଟ ଆକ୍ଟ ଓ ପାସପୋର୍ଟ ଆଇନ୍ ଅନୁସାରେ ବିଏସଏଫକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି
– ପଂଜାବ, ପଶ୍ଚିମବଙ୍ଗ ଓ ଆସାମ ବ୍ୟତୀତ ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଲଦାଖରେ ମଧ୍ୟ ସର୍ଚ୍ଚ ଅପରେସନ୍ ଓ ଗିରଫଦାରୀ କରିପାରିବେ ବିଏସଏଫ ଯବାନ