କନକ ବ୍ୟୁରୋ: ନିକଟରେ ଆମ ରାଜ୍ୟରେ ଫାଇଭ-ଜି ସେବାର ଶୁଭାରମ୍ଭ ହୋଇଛି । ହେଲେ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠି ୪ଜି ତ ଦୂରର କଥା ମୋବାଇଲ ନେଟୱାର୍କ ମଧ୍ୟ ଆସୁନାହିଁ । ଅନୁଗୁଳ ଜିଲ୍ଲାରେ ଅନେକ ଶିଳ୍ପ ଓ ଖଣି-ଖାଦାନ ରହିଛି । କିନ୍ତୁ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଅନୁଗୁଳ ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ ବଲଙ୍ଗ ଗାଁ । ନେଟ୍ୱାର୍କ ନଆସିବାରୁ ଲୋକେ ଗାଁ ଠାରୁ ୩ କିଲୋମିଟର ଦୂର ଯାଇ ଗଛ ଉପରେ ଚଢ଼ି ଫୋନରେ କଥା ହୁଅନ୍ତି ।

କୋଭିଡ ସମୟରେ ଗାଁକୁ ନେଟୱାର୍କ ନଆସିବାରୁ ଛାତ୍ରଛାତ୍ରୀ ପାଠଛାଡି ବାହାରେ ଦାଦନ ଖଟୁଛନ୍ତି । ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ଓ କମ୍ପ୍ୟୁଟର ଅଛି କିନ୍ତୁ ନେଟୱାର୍କ ନଥିବାରୁ ସେସବୁ ବେକାର ପଡ଼ିଛି । ସେହିପରି ଗୁରୁତର ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୂଲାନ୍ସ ସହ ଯୋଗାଯୋଗ କରିପାରୁନାହାନ୍ତି ଲୋକେ । ତେଣୁ ଗାଁକୁ ମୋବାଇଲ ନେଟୱାର୍କ ଯୋଗାଇଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।