କନକ ବ୍ୟୁରୋ: ମଝିରେ ଗାଁ, ଆଉ ଚାରି ପଟେ ପାହାଡ ପରି ଗଦା ହୋଇଛି ବର୍ଯ୍ୟ କୋଇଲା ଓ ମାଟି । ଟିକେ ପବନ ହେଲେ ସବୁ ଧୂଳି ଓ ଧୂଆଁ ଘରେ ପଶୁଛି । ଘରେ ବାହାରେ ସବୁଆଡେ ଧୂଳି ଉଡୁଛି । ଏପରି ଧୂଳି ଧୂଆଁ ମଧ୍ୟରେ ଜୀବନ କାଟୁଛନ୍ତି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଖପୁରିକଛାର ଗ୍ରାମବାସୀ । ତେବେ ଏନଟିପିସିର ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ଯୋଗୁଁ ଏହି ଗାଁ ସଂପୂର୍ଣ୍ଣ ଭାବରେ ବିସ୍ଥାପିତ ହେବାକୁ ଅଛି । କ୍ଷତିପୁରଣ ମିଳିନଥିବାରୁ ଗ୍ରାମବାସୀ ଗାଁ ଛାଡୁନାହାନ୍ତି ।
ହେମଗିରି ବ୍ଲକ ଡୁଲିଙ୍ଗା ଠାରେ ଏନଟିପିସି ତାର କୋଇଲା ଖଣି ପ୍ରକଳ୍ପ କରିଛି । କୋଇଲା ଉତ୍ତୋଳନ ସମୟରେ ବାହାରୁ ଥିବା ବର୍ଯ୍ୟ କୋଇଲା ଏବଂ ମାଟି ଗଦା କରିବା ପାଇଁ ଖପୁରିକଛାର ଗାଁରେ ଜମି ଅଧିଗ୍ରହଣ କରିଛି କମ୍ପାନୀ । କେବଳ ଚାଷ ଜମିର କ୍ଷତିପୁରଣ ଦେଇ ଗାଁ ଲୋକଙ୍କୁ ଘର ଛାଡିବା ପାଇଁ ବାଧ୍ୟ କରୁଛି କମ୍ପାନୀ । କମ୍ପାନୀ କହିବାରୁ ୩୨ ପରିବାର ଭିଟାମାଟି ଛାଡି ଚାଲି ଯାଇଥିବା ବେଳେ ଆଉ ୬୪ ପରିବାର ଏବେ ବି ଗାଁରେ ରହିଛନ୍ତି ।
କ୍ଷତିଗ୍ରସ୍ତ ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଫେରାଦ ହେବା ପରେ ଏନଟିପିସି ଡୁଲିଙ୍ଗା କୋଇଲା ଖଣି କର୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି କମିଶନ । ଏହାସହ ରିପୋର୍ଟ ନମିଳିବା ଯାଏଁ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । କିନ୍ତୁ କମ୍ପାନୀ ତାର ମନମାନୀ କରୁଛି, କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି କାମ ଜାରି ରଖିଛି ।
ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଛି, ଦୁଇ ମାସ ମଧ୍ୟରେ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବ । କୋଇଲା କମ୍ପାନୀ କ୍ଷତିପୁରଣ ନଦେଇ କାମ କରୁଥିବା କ୍ଷତିଗ୍ରସ୍ତ ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି କମ୍ପାନୀ କର୍ତୃପକ୍ଷ ।
Follow Us