ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ

89

କନକ ବ୍ୟୁରୋ : ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ । ଗାଁ ମଝିରେ କୋଇଲା ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ଜନଶକ୍ତି ବିକାଶ ପରିଷଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୮ ଦିନ ହେଲା ଏଠାରେ ୨୪ ଘଂଟିଆ ଦିବାରାତ୍ର ଆନ୍ଦୋଳନ ଚାଲିଛି ।

ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ଲୋକଙ୍କ ପାଇଁ ଆଣିଛି କଷଣ । ଗାଁ ଭିତରେ ପରିବହନ ଯୋଗୁଁ ଜନଜୀବନ ହୋଇପଡିଛି ପ୍ରଭାବିତ । ସୁନ୍ଦରଗଡର ବାଙ୍କିବାହାଲରୁ ଟପରିଆ ଛତିଶଗଡ ସୀମା ୨୬ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା । ଆଉ ଗାଁ ଭିତରେ କୋଇଲା ପରିବହନକୁ ବିରୋଧ କରି ଟପରିଆଠାରେ ସ୍ଥାନୀୟ ସଙ୍ଗଠନ ଜନଶକ୍ତି ବିକାଶ ପରିଷଦ ୮ ଦିନ ହେଲା ଚଳାଇଛି ଆନ୍ଦୋଳନ । ଆଉ ଏଥିରେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଂଚଳର ଲୋକେ ।

ଗାଁ ମଝିରେ ଏମସିଏଲର କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ବଢି ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇପଡିଛି । କୋଇଲାଗୁଣ୍ଡ ଉଡି ସିଧାସଳଖ ଚାଷ ଜମି, କୂଅ , ପୋଖରୀ, ପାଣି ଓ ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ଓ ଅନ୍ୟ ଜିନିଷ ନଷ୍ଟ କରୁଛି । ଚାଷ ଉଜୁଡିଯାଇଛି । ତେଣୁ ଗାଁ ମଧ୍ୟ ଦେଇ କୋଇଲା ପରିବହନ କୁ ବନ୍ଦ କରିବାକୁ ଦାବି କରିଛି ପରିଷଦ ।

ଏମସିଏଲର କୁଲଡା ଖୋଲାମୁହଁ କୋଇଲାଖଣି, ଖଣିଜ ଦ୍ରବ୍ୟ ପରିବହନ ସଂରକ୍ଷଣ ଓ ବୋଝେଇ ରେ ସମସ୍ତ ସର୍ତ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି । ଗାଁ ମଝିରେ କୋଇଲାଖଣି ପରିବହନ ହେବାର ନିୟମ ନାହିଁ । କିନ୍ତୁ ଏମସିଏଲ ସର୍ତ ଉଲ୍ଲଙ୍ଘନ କରି ଗାଁ ମଝିରେ କୋଇଲା ପରିବହନ କରୁଛି । ଏବେ ଦାବି ପୂରଣ ନହେଲେ ଆନ୍ଦୋଳନ ହଟିବ ନାହିଁ ବୋଲି ଶୁଣାଇ ଦେଇଛନ୍ତି ଆନ୍ଦୋଳନକାରୀ ।