କନକ ବ୍ୟୁରୋ: କାହିଁ କେଉଁ କାଳରୁ ପୂଜା ପାର୍ବଣରେ ଲୋକବାଦ୍ୟର ବ୍ୟବହାର କରାଯାଉଛି । କିନ୍ତୁ ଏହି ଲୋକବାଦ୍ୟ ତିଆରି କରୁଥିବା କାରିଗର ଏବେ ଅନ୍ଧାରରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତିକୁ ଆପଣାଇଥିବା କାରିଗରମାନେ ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଦେଉଳପଦର ଗାଁରେ ରହୁଥିବା ପ୍ରାୟ ୧୨ଟି ପରିବାର ଏହି ବୃତ୍ତିକୁ ଆପଣାଇଛନ୍ତି । ଏମାନଙ୍କ ହାତର ସ୍ପର୍ଶରେ ତିଆରି ହୁଏ ସୁନ୍ଦର ସୁନ୍ଦର ବାଦ୍ୟଯନ୍ତ୍ର । ଏହି କଳା ଏମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଖାଲି ସୁବର୍ଣ୍ଣପୁର ନୁହେଁ ଏମାନଙ୍କ ଦ୍ୱାରା ନିର୍ମିତ ମୃଦଙ୍ଗ, ଢ଼ୋଲ, ନିଶାଣ, ଟାମକ, ମାଦଳର ଚାହିଦା ସାରା ଓଡ଼ିଶାରେ ରହିଛି । କିନ୍ତୁ ଏମାନଙ୍କ ଆର୍ଥିକ ସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ଆସିପାରିନି । ଗ୍ରାମାଞ୍ଚଳରେ କଳା ଓ କୁଟୀର ଶିଳ୍ପକୁ ନେଇ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । କିନ୍ତୁ ଏହି ଯୋଜନାଠାରୁ ଅନେକ ଦୂରରେ ରହିଛନ୍ତି ଲୋକକଳାର ବିନ୍ଧାଣୀ ।

Advertisment

ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆପଣାଇ ଦିନ କାଟୁଛନ୍ତି ଏମାନେ । କାମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରଛନ୍ତି କାରିଗର । ନୂଆ ବାଦ୍ୟଯନ୍ତ୍ର ହେଉ କିମ୍ବା ପୁରୁଣା ଜିନିଷର ମରାମତି ସମସ୍ତ କାମ ଅତି ନିଖୁଣ ଭାବେ ଏମାନେ କରିଥାଆନ୍ତି । ଏହି ବାଦ୍ୟଯନ୍ତ୍ର ବଜାଇ କଳାକାରମାନେ କଳାକାର ଭତା ପାଉଥିବା ବେଳେ କାରିଗରମାନଙ୍କୁ କିଛି ପ୍ରୋତ୍ସାହନ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କାରିଗର ।