କନକ ବ୍ୟୁରୋ : ଖରା ଦିନେ ରାୟଗଡା ଜିଲ୍ଲାରେ ଚାଷ କାର୍ଯ୍ୟ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଖରାରେ ଶୁଖିଯାଇଛି ଝଞ୍ଜାବତି ଓ ନାଗାବଳୀ ନଦୀ । ଫଳରେ ନଦୀକୂଳିଆ ଅଂଚଳରେ ଚାଷ ଜମି ସବୁ ମରୁଭୁମି ପାଲଟିଯାଇଛି । ହେକ୍ଟର ହେକ୍ଟର ଜମି ପଡିଆ ପଡିଥିବା ବେଳେ ସେଠାରେ ଗାଇ ଚରୁଛନ୍ତି । ଫଳରେ ଚାଷବାସ ଛାଡି ଚାଷୀ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।
ଜଳସେଚନ ସୁବିଧା ନଥିବାରୁ ଚାଷ କାର୍ଯ୍ୟ ହୋଇପାରୁନି । ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣର ଦିନ କେଇଟା ପରେ ଅଚଳ ହୋଇଯାଉଛି । ଫଳରେ ସରକାରୀ ଯୋଜନାରୁ ଉପେକ୍ଷିତ ହେଉଛନ୍ତି ରାୟଗଡା ଜିଲ୍ଲାର ଚାଷୀ । ସେପଟେ ଖରା ଦିନେ ଚିରସ୍ରୋତା ନଦୀ ନାଗାବଳୀ ଓ ଝଞ୍ଜାବତି ଶୁଖି ଯାଉଛି । ଫଳରେ ହେକ୍ଟର ହେକ୍ଟର ଜମି ପଡିଆ ପଡିଥିବା ବେଳେ ଚାଷୀ, ଚାଷବାସ ଛାଡି ଦାଦନ ଖଟିବାକୁ ଚାଲିଯାଉଥିବା ଅଭିଯୋଗ ହୋଇଛି ।
ରାୟଗଡା ଜିଲ୍ଲାରେ ମୋଟ ୩୭୦ଟି ଟ୍ୟିୁବୱେଲରୁ ୯୯ଟି ଅଚଳ । ସେହିଭଳି ୮୭୮ଟି ଉଠା ଜଳସେଚନ ପ୍ରକଳ୍ପରୁ ୧୭୦ଟି ଦୀର୍ଘ ଦିନ ହେଲାଣି ଅଚଳ । ଜିଲ୍ଲାରେ ୧ଲକ୍ଷ ୯୩ ହଜାର ୫୦୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ନାହିଁ । ଖରା ଦିନେ ୫୦ ହଜାର ୧୮୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ବଳକା ଜମି ପଡିଆ ପଡିଛି । ଫଳରେ ଚାଷୀ ଖରାଟିଆ ଚାଷ ଛାଡି ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ସେପଟେ ଜିଲ୍ଲା ଉଠା ଜଳସେଚନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଜି. ଟି. ରାଓ କହିଛନ୍ତି, ପ୍ରକଳ୍ପ ଗୁଡିକୁ ଯାଂଚ କରି ପାଣି ପଂଚାୟତକୁ ହସ୍ତାନ୍ତର କରାଯାଇଛି । ହେଲେ ପ୍ରକଳ୍ପର ମରାମତି ଲାଗି ଅର୍ଥର ବ୍ୟୟବରାଦ ନଥିବା କହିଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।