ଦକ୍ଷିଣ ଆଫ୍ରିକାରେ ୨୪ଘଣ୍ଟାରେ ଦୁଇଗୁଣ ହେଲା ସଂକ୍ରମଣ । ବଢିଲା ସନ୍ଦେହ, ଓମିକ୍ରନ ଯୋଗୁଁ ବଢୁଛି କି ସଂଖ୍ୟା ?

230

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ହଠାତ ୨୪ଘଣ୍ଟାରେ ସଂକ୍ରମଣ ଦୁଇ ଗୁଣ ବଢିଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ‘ଓମିକ୍ରନ’ ସଂକ୍ରମଣ, ଏହି ଦ୍ରୁତ ସଂକ୍ରମଣ ପଛର ମୁଖ୍ୟ କାରଣ । ଦକ୍ଷିଣ ଆଫ୍ରିକାରେ ୨୪ଘଣ୍ଟାରେ ଦୁଇଗୁଣ ହେଲା ସଂକ୍ରମଣ । ବଢିଲା ସନ୍ଦେହ, ଓମିକ୍ରନ ଯୋଗୁଁ ବଢୁଛି କି ସଂଖ୍ୟା ? ଓମିକ୍ରନର ଭୟ ଭିତରେ, ଦକ୍ଷିଣ ଆଫ୍ରିକାରୁ ଆସିଛି ଚିନ୍ତାଜନକ ଖବର । ଗୋଟିଏ ଦିନରେ ଦୁଇଗୁଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସାଉଥ ଆଫ୍ରିକା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବୁଧବାର ୮,୫୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଠିକ୍ ଏହାର ଦିନକ ପୂର୍ବରୁ ଅର୍ଥାତ ମଙ୍ଗଳବାର ୪,୩୭୩ ମାମଲା ଚିହ୍ନଟ ହୋଇଥିଲେ । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ ଓମିକ୍ରନ ଭୂତାଣୁରେ ସଂକ୍ରମିତ ତାହା ସ୍ପଷ୍ଟ ହୋଇନାହିଁ ।

ଦକ୍ଷିଣଆଫ୍ରିକାରେ ଗତ ସପ୍ତାହରେ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ିବା ବିଶ୍ୱ ସମୁଦାୟର ଚିନ୍ତା ବଢାଇ ଦେଇଛି । ତେଣୁ ଏହି ଦ୍ରୁତ ସଂକ୍ରମଣ ପଛରେ ଓମିକ୍ରନ ଭୂତାଣୁର ହାତ ଥିବା ସନ୍ଦେହ କରାଯାଉଛି । ଦକ୍ଷିଣ ଆଫ୍ରିକାରେ ନଭେମ୍ବର ପହିଲାରେ ସଂକ୍ରମଣ ହାର କମ ରହିଥିଲା । ଏପରିକି ଦୈନିକ ୨୦୦ରୁ ୩୦୦ ମାମଲା ଚିହ୍ନଟ ହେଉଥିଲା । କିନ୍ତୁ ଦ୍ୱିତୀୟ ସପ୍ତାହରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ନଭେମ୍ବରରେ ସଂକ୍ରମଣ ହାର – ୧ ପ୍ରତିଶତ
ଡିସେମ୍ବର ଆରମ୍ଭରେ ସଂକ୍ରମଣ ହାର – ୧୬.୫ ପ୍ରତିଶତ
ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବୃଦ୍ଧି ହାରକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ଭୂତାଣୁବିତ୍ ଡାକ୍ତର ନିକସି ଗୁମଡେ ମୋଲେଟେସି କହିଛନ୍ତି, ବହୁତ ସମ୍ଭାବନା ରହିଛି ନିକଟରେ ଦୁଇଗୁଣା, ତିନି ଗୁଣା କରୋନା ସଂକ୍ରମଣ ଦେଖିପାରେ ବିଶ୍ୱ । ଏପରିକି ଦକ୍ଷିଣ ଆଫ୍ରିକାରେ ମଧ୍ୟ ବହୁ ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକାର ୯ଟି ପ୍ରଦେଶରୁ ୫ଟି ପ୍ରଦେଶରେ ଓମିକ୍ରନ ଭୂତାଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ଲୋକଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏହାଛଡା ଓମିକ୍ରନ ବାବଦରେ ଅଧିକ ତଥ୍ୟ ପାଇବାକୁ ଗବେଷଣା ଚାଲିଛି । ତେବେ ଦକ୍ଷିଣ ଆଫ୍ରିକାରେ ଦିନକରେ ଦୁଇଗୁଣ ଆକ୍ରାନ୍ତ ଚିହ୍ନଟ ହେବା ଡେଲଟା ଭୂତାଣୁର ସଂକ୍ରମଣକୁ ମନେ ପକେଇଦେଇଛି ।