ଗ୍ରାହକଙ୍କୁ ଆଶ୍ୱସ୍ତି ! ଆଗକୁ ଆଉ ବଢିବ ନାହିଁ ଆଳୁ କି ପିଆଜ ଦର

Advertisment
ଗ୍ରାହକଙ୍କୁ ଆଶ୍ୱସ୍ତି ! ଆଗକୁ ଆଉ ବଢିବ ନାହିଁ ଆଳୁ କି ପିଆଜ ଦର

କନକ ବ୍ୟୁରୋ : ଆଳୁ ଓ ପିଆଜ ଅମଳ ଋତୁ ଆରମ୍ଭ ହୋଇଯାଇଛି। ତେଣୁ ଆଗକୁ ଆଉ ଆଳୁ ଓ ପିଆଜ ଦର ବଢ଼ିବା ଆଶଙ୍କା ନାହିଁ। ଯଦିଓ ଦୁଇଟିଯାକ ନିହାତି ଆବଶ୍ୟକ ସାମଗ୍ରୀର ଦର ଆଖିଦୃଶିଆ ଭାବେ କମିନାହିଁ, ତଥାପି ପିଆଜ ଦର ୮୦ ଟଙ୍କା ତଳକୁ ଖସିଯିବା ଖାଉଟିଙ୍କୁ ଆଶ୍ବସ୍ତ କରିଛି। ସେହିଭଳି ବଜାରକୁ ନୂଆ ଆଳୁ ଆସି ଯାଇଥିବାରୁ ଖୁବ୍ ଶୀଘ୍ର ଆଳୁ ଦର ମଧ୍ୟ ୨୦ ଟଙ୍କା ତଳକୁ ଖସିଯିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ଆଉ ପ୍ରାୟ ଦୁଇ ସପ୍ତାହ ପରେ ଆଳୁ ଦର ୧୫/୧୬ଟଙ୍କା ଓ ପିଆଜ ଦର ୫୦ଟଙ୍କା ତଳକୁ ଖସିଯିବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନାନୁସାରେ, ସମ୍ପ୍ରତି ପଶ୍ଚିମବଙ୍ଗରୁ ନୂଆ ଆଳୁ ଆସିବା ଆରମ୍ଭ ହୋଇଛି। ବର୍ଷା ପାଇଁ ବିଳମ୍ବ ହୋଇଥିବା ଅମଳ ଆରମ୍ଭ ହୋଇଥିବାରୁ ନୂଆ ଆଳୁ ବଜାରକୁ ଆସିଲାଣି। ମାତ୍ର ତାହା ଯଥେଷ୍ଟ ନୁହେଁ। ତେଣୁ ପାଇକାରୀ ଦର ପୂର୍ବବତ୍ ୨୦/୨୧ ଟଙ୍କା ରହିଛି। ଫଳରେ ଖୁଚୁରା ଦର ୨୫/୨୬ ଟଙ୍କାରୁ କମିବା ପ୍ରଶ୍ନ ଉଠୁନାହିଁ। ତେବେ ଅମଳ ବଢ଼ିବା ସହ ସ୍ବାଭାବିକ ଭାବେ ଦର ହ୍ରାସ ମଧ୍ୟ ତାଳ ଦେଇ ଘଟିବ। ଏବେ ପ୍ରାୟ ଚାରି ଦିନ ହେଲା ପିଆଜର ପାଇକାରୀ ଦର ୬୦/୬୨ ଟଙ୍କାକୁ ଖସି ଆସିଛି। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୭୫/୮୦ ଟଙ୍କାରେ ପିଆଜ ମିଳୁଛି।

ଏବେ ମହାରାଷ୍ଟ୍ର ନାସିକ୍ରେ ନୂଆ ପିଆଜ ଅମଳ ଆରମ୍ଭ ହୋଇଗଲାଣି। ସେହିଭଳି ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ପିଆଜ ଅମଳ ଆରମ୍ଭ ହୋଇଗଲାଣି। ତେଣୁ ବିଦେଶ(ତୁର୍କୀ ଓ ଇଜିପ୍ଟ)ରୁ ପିଆଜ ଆମଦାନି ବନ୍ଦ ହେବା ସତ୍ତ୍ବେ ପିଆଜ ଦର ହ୍ରାସ ପାଇବାରେ ଲାଗିଛି। ତେବେ ସବୁଜ ପରିବା ସାଙ୍ଗକୁ ଆଳୁ, ପିଆଜ ଦର ହ୍ରାସ ପାଉଥିବା ବେଳେ ତେଲ ଓ ଡାଲି ଜାତୀୟ ଖାଦ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବାରୁ ଖାଉଟିଙ୍କୁ ଦରବୃଦ୍ଧି ଛାଟରୁ ନିସ୍ତାର ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe