ଶିମିଳିପାଳରେ ଅଛନ୍ତି ମାତ୍ର ୧୭ ବାଘ! ସେପଟେ ଶିମିଳିପାଳରେ ବାଘସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କଲେ ବନ୍ୟପ୍ରାଣୀ ବିଶେଷଜ୍ଞ

199

କନକ ବ୍ୟୁରୋ : ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପକ୍ଷରୁ ୨୦୧୪ରେ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ସର୍ବମୋଟ୍‌ ୨୮ଟି ବାଘ ଥିଲେ। ୨୦୧୮ରେ ମଧ୍ୟ ସମାନ ୨୮ଟି ବାଘ ଥିବା କଥା ଦୋହରାଇଥିଲା ଏନ୍‌ଟିସିଏ। ତେବେ ୨୦୧୪ ଗଣନା ଅନୁଯାୟୀ, ରାଜ୍ୟରେ ମୋଟ ୨୮ଟି ବାଘ ମଧ୍ୟରୁ କେବଳ ମୟୂରଭଞ୍ଜ ଶିମିଳିପାଳରେ ୧୭ଟି ବାଘ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସ୍‌ଟିଆର) ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ୨୦୧୮ରେ ଶିମିଳିପାଳର ବାଘ ସଂଖ୍ୟା ଅଦ୍ୟାବଧି ଏନ୍‌ଟିସିଏ ପକ୍ଷରୁ ପ୍ରକାଶିତ ହୋଇନାହିଁ। ଏହି ରିପୋର୍ଟ ଆସନ୍ତା ମାସ କିମ୍ବା ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ଓ ଏହି ଗଣନାରେ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଘଟିଥିବା ନେଇ ଶ୍ରୀ ପତି ଦୃଢ଼ୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଶିମିଳିପାଳରେ ବାଘସଂଖ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ସେମାନଙ୍କ ମତରେ ୨୦୧୪ ଓ ୨୦୧୮ରେ ଶିମିଳିପାଳର ପରିବେଶ ଯାହା ଥିଲା ଏବେ ତାହା ସମ୍ପୂର୍ଣ୍ଣ ଅଲଗା। ଶିମିଳିପାଳରେ ଜଙ୍ଗଲ ଉଜୁଡ଼ିବାରେ ଲାଗିଛି। ଫଳରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ମଧ୍ୟ କମିଛି। ପ୍ରାକୃତିକ ପରିବେଶ କ୍ଷୟ ହେଉଥିବାରୁ ବାଘ ସଂଖ୍ୟା କମ୍‌ ହେବା ନିଶ୍ଚିତ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି।

tiger census
image courtesy-file:///C:/Users/USER

ବ୍ୟାଘ୍ର ସଂରକ୍ଷଣ, ଶିମିଳିପାଳର ସୁରକ୍ଷା ଓ ବିକାଶ ନିମନ୍ତେ ବର୍ଷକୁ ୧୨ କୋଟିରୁ ଅଧିକ ଟଙ୍କା ଦେଉଛି ଏନ୍‌ଟିସିଏ। ଏଥିରେ ରାଜ୍ୟ ସରକାରଙ୍କର ମଧ୍ୟ କିଛି ଅଂଶ ରହୁଛି। ମାତ୍ର ଏହି ଆର୍ଥିକ ଅନୁଦାନକୁ ଏସ୍‌ଟିଆର କର୍ତ୍ତୃପକ୍ଷ ଠିକଣା ଢଙ୍ଗରେ ଖର୍ଚ୍ଚ କରୁନାହାନ୍ତି। ଯେଉଁଥି ପାଇଁ ଶିମିଳିପାଳରେ ଆଗ ଭଳି ଆଉ ବାଘ ଦେଖିବାକୁ ମିଳୁନାହାନ୍ତି ବୋଲି ଯୁବନେତା କଳିଙ୍ଗ କେଶରୀ ଜେନା ଅଭିଯୋଗ କରିଛନ୍ତି। ଏମିତିକି ବାଘର ନିରାପଦ ଆବାସସ୍ଥଳ ଭାବେ ଜଣାଶୁଣା ଶିମିଳିପାଳରେ ଗତ କିଛି ବର୍ଷ ହେଲା ସେଠାକାର ସ୍ଥାନୀୟ ଅଧିବାସୀ ମଧ୍ୟ ବାଘ ଦେଖିବାକୁ ପାଉନାହାନ୍ତି। ତେଣୁ ବାଘ ସଂଖ୍ୟା ବଢ଼ିବା ନେଇ ଏସ୍‌ଟିଆର କରୁଥିବା ଆସ୍ଫାଳନ କେବଳ ଧୂଆଁବାଣ ବୋଲି ଯୁବଛାତ୍ର ସଂଗଠକ ପିଣ୍ଟୁ ମାଇତି କହିଛନ୍ତି। ନିକଟରେ ଏସ୍‌ଟିଆର ପକ୍ଷରୁ ବାଘ ଗଣନା ପାଇଁ ଶିମିଳିପାଳରେ ଫେଜ୍‌-୪ ମନିଟରିଂ ଶେଷ ହୋଇଛି ଓ ବାଘଙ୍କ ଗତିବିଧି ନଜରକୁ ଆସିଥିବା ଏସ୍‌ଟିଆର୍‌ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କିନ୍ତୁ ଏହା ମାଧ୍ୟମରେ ବାଘ ସଂଖ୍ୟାକୁ ନେଇ କୌଣସି ଆକଳନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଏନ୍‌ଟିସିଏ ଦେଉଥିବା ଅର୍ଥରେ ତୃଣଭୋଜିଙ୍କ ପାଇଁ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରାଯିବା ସହିତ ବ୍ୟାଘ୍ର ସଂରକ୍ଷଣ ଓ ଶିମିଳିପାଳ ସୁରକ୍ଷାରେ ନିୟୋଜିତ କର୍ମଚାରୀଙ୍କ ଦରମା ତଥ୍ୟା ଅନ୍ୟାନ୍ୟ ଖର୍ଚ୍ଚରେ ବ୍ୟୟ ହେଉଥିବା ଶ୍ରୀ ପତି ପ୍ରକାଶ କରିଛନ୍ତି। ଜଙ୍ଗଲକ୍ଷୟ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

tiger censusଉଲ୍ଲେଖଯୋଗ୍ୟ, ୨୭୫୦ ବର୍ଗ କିମି ପରିମିତ ଶିମିଳିପାଳର ୧୧୯୪.୭୫ ବର୍ଗ କିମି ଅଞ୍ଚଳ ବାଘ ଚଳପ୍ରଚଳ ସ୍ଥାନ, ଯାହାକି କୋର୍ ଏରିଆ ଭାବେ ଚିହ୍ନଟ କରାଯାଇଛି। ସେହିପରି ୧୫୫୫.୨୫ ବର୍ଗ କିମି ଅଞ୍ଚଳକୁ ବଫର୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ୨୦୦୬ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିବା ବେଳେ ୨୦୧୦ରେ ୩୨, ୨୦୧୪ ଓ ୨୦୧୮ରେ ଏହା ୨୮ରେ ସ୍ଥିର ରହିଛି। ସେହିପରି ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୭ ବାଘ ମୃତ୍ୟୁବରଣ କରିଥିବା ଏନ୍‌ଟିସିଏ ତା ରିପୋର୍ଟରେ ଦର୍ଶାଇଛି।