ଭାରତୀୟ ମେଡିକାଲ ସଂଘ ଦେଲା ଚମକାଇ ଦେବାଭଳି ଖବର । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ୪୨୦ ଡାକ୍ତରଙ୍କ ମୃତ୍ୟୁ । କେବଳ ଦିଲ୍ଲୀରୁ ୧୦୦

ଦ୍ୱିତୀୟ ଲହରରେ ଗଲାଣି ୪୨୦ ଡାକ୍ତରଙ୍କ ଜୀବନ

302

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତର ମାନଙ୍କ ଜୀବନ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଇଥିବା ସୂଚନା ଏବେ ଚିନ୍ତା ବଢାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତରେ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସର୍ବାଧିକ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ସେପଟେ କେବଳ ଦିଲ୍ଲୀ ନୁହେଁ ବିହାର ୯୬, ୟୁପି ୪୧, ଆନ୍ଧ୍ରପ୍ରଦେଶ ୨୬, ଆସାମ ୩, ଗୁଜୁରାଟ ୩୧,ଗୋଆ ୨,ହରିଆଣା ୨, ମହାରାଷ୍ଟ୍ର ୧୫,ମଧ୍ୟପ୍ରଦେଶରେ ୧୩ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏହାସହ ସବୁଠାରୁ କମ୍ ପଞ୍ଜାବ ଓ ପୁଡୁଚେରୀରେ କେବଳ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ କରୋନା ଟେଷ୍ଟିଂରେ ସବୁଠାରୁ ଆଗରେ ରହିଛି ୟୁପି । ଗତ ୨୧ ଦିନ ମଧ୍ୟରେ ୟୁପିରେ ୪ କୋଟି ୬୫ ଲକ୍ଷ ଲୋକଙ୍କର କରୋନା ଟେଷ୍ଟିଂ କରାଯାଇଥିବା ଜଣାପଡିଛି । ଏହାହସ ୧୮ ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨,୫୭,୨୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ସଂକ୍ରମଣରେ ୪୧୯୪ ଜଣଙ୍କର ମୃତ୍ୟୁ ହୋଇଛି ।