ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ: ଦ୍ୱିତୀୟ ରାଉଣ୍ଡରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର; ମାତ୍ର ୪୩୯ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ସ୍ୱରୂପ

ମୋଟ ୧୦୫୪ ଭୋଟରେ ଆଗୁଆ ବିଜେଡି

216

କନକ ବ୍ୟୁରୋ: ସରିଲା ଦ୍ୱିତୀୟ ରାଉଣ୍ଡର ଭୋଟ ଗଣତି । ଗତ ୩ ତାରିଖରେ ଓଡିଶାର ଦୁଇଟି ଆସନ ତଥା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନରେ ଆଜି ବାହାରିବ ଫଳାଫଳ । ଇଭିଏମରେ ସିଲ ହୋଇଥିବା ଜନତା ଜନାର୍ଦ୍ଦନଙ୍କ ରାୟ ଆଜି ଆଉ କିଛି ସମୟ ପରେ ହିଁ ସ୍ପଷ୍ଟ ହୋଇଯିବ । ତେବେ ବାଲେଶ୍ୱରବାସୀ ଏବଂ ତିର୍ତ୍ତୋସବାସୀ ଏଥର କାହାକୁ ଭରସିଛନ୍ତି ତାହା ଏବେ ଆଉ କିଛି ଘଂଟା ମଧ୍ୟରେ ଜଣାପଡିଯିବ । ସେହିଭଳି ବାଲେଶ୍ୱର ପାଇଁ ଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ତିର୍ତ୍ତୋଲରେ ଏସଭିଏମ କଲେଜ ପରିସରରେ ନିର୍ଧାରିତ ସମୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି ।

ଇତିମଧ୍ୟରେ ଉଭୟ ଯାକ ଆସନରେ ଦ୍ୱିତୀୟ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି । ତେବେ ବାଲେଶ୍ୱର ସଦର ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣତିରେ ମଧ୍ୟ ବିରୋଧୀଙ୍କ ଠାରୁ ବହୁ ଆଗରେ ରହିଛି ଶାସକ ଦଳ । ଅର୍ଥାତ୍ ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ରହିଛି ବିଜେଡି । ମୋଟ୍ ଭୋଟ୍ ୮ ହଜାର ୧୯୮ ଗଣତି ହୋଇଥିବା ବେଳେ ଏଥିମଧ୍ୟରୁ ବିଜେଡିକୁ ମିଳିଛି ୩ ହଜାର ୬୬୯ଟି ଭୋଟ୍ ଏବଂ ବିଜେପି ପାଇଛି ୩୨୩୦ଟି ଭୋଟ୍ । ତେବେ ବିଜେପିଠାରୁ ମୋଟ୍ ୪୩୯ଟି ଭୋଟରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ । ସେହିଭଳି ଦ୍ୱୀତିୟ ରାଉଣ୍ଡର ଭୋଟ୍ ଗଣତିରେ ବାଲେଶ୍ୱରରେ କଂଗ୍ରେସକୁ ମିଳିଛି ୪୧୭ଟି ଭୋଟ୍ ।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା  ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍  ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ  ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ । ବାଲେଶ୍ବରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୧୪ଟି ‌ଟେବୁଲରେ ଗଣତି ଆରମ୍ଭ ହୋଇଛି ଓ ୨୫ ରାଉଣ୍ଡରେ ଗଣତି ହେବ।