ନଦୀରେ ବନ୍ୟା ଜଳ ପ୍ରବେଶ କରିନି, ଡରାଇଲାଣି ବନ୍ଧ: ସାଲେପୁରରେ ଚିତ୍ରୋତ୍ପଳା ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଧସି ଯାଇଛି ମାତି ଅତଡ଼ା

Advertisment
ନଦୀରେ ବନ୍ୟା ଜଳ ପ୍ରବେଶ କରିନି, ଡରାଇଲାଣି ବନ୍ଧ: ସାଲେପୁରରେ ଚିତ୍ରୋତ୍ପଳା ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଧସି ଯାଇଛି ମାତି ଅତଡ଼ା

କନକ ବ୍ୟୁରୋ: ବର୍ଷାଦିନ ପୂର୍ବରୁ ଦୁର୍ବଳ ନଦୀ ବନ୍ଧ ଗୁଡ଼ିକୁ ମରାମତି କରିବା ସହ ବନ୍ଧ ପ୍ରତି ଦୃଷ୍ଟି ରଖିବା ଜଳସେଚନ ବିଭାଗର ଦାୟିତ୍ୱ। ହେଲେ କାହାର ନିଘା ନାହିଁ ବନ୍ଧ ପ୍ରତି। ଫଳରେ ବନ୍ୟା ପାଣି ନଆସୁଣୁ କୋଉଠି ବନ୍ଧ ଭାଙ୍ଗି ଅଞ୍ଚଳ ଜଳମଗ୍ନ ହେଲାଣି ତ ଆଉ କେଉଁଠି ଘଳିଆ ପଡି ବିପଦ ସୃଷ୍ଟି କଲାଣି।

ବର୍ଷା ଆରମ୍ଭରୁ ଡରାଇଲାଣି ଦୁର୍ବଳ ନଦୀବନ୍ଧ। ନଦୀରେ ବନ୍ୟା ଆସିନି, କିନ୍ତୁ ବନ୍ଧ ଧସିଲାଣି। ବିପଦପୂର୍ଣ୍ଣ ବନ୍ଧ ଗୁଡିକର ସ୍ଥାୟୀ ମରାମତି ନକରି ଜଳସେଚନ ବିଭାଗ ଚେଇଁ ଶୋଇଥିବା ବେଳେ ବନ୍ଧର ଏ ଅବସ୍ଥା ନଈକୂଳିଆ ଲୋକଙ୍କ ନିଦ ହଜିଗଲାଣି। କଟକ ଜିଲା ସାଲେପୁର ବ୍ଲକ ତାରିତୋ ପଂଚୟତ ମୂର୍କୁଣ୍ଡି ଠାରେ ଚିତ୍ରୋତ୍ପଳା ନଦୀର ସାଇଫନ ମୁଣ୍ଡରେ କେନାଲ ବନ୍ଧ ଧସିଯାଇଛି। ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି। ବର୍ଷା ଜଳ ନଦୀରେ ପ୍ରବେଶ କଲେ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଦୁର୍ବଳ ନଦୀ ବନ୍ଧକୁ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ମହାନଦୀ ଚିତ୍ରୋତ୍ପଳା ଦିପାଂଚଳରେ ଅନେକ ସ୍ଥାନରେ ନଦୀ ଦବି ଯାଇଛି। ଖଇରା ଠାରୁ ଅସୁରେଶ୍ଵର ପର୍ଯ୍ୟନ୍ତ କେନାଲ ବନ୍ଧର ବିଭିନ୍ନ ସ୍ଥାନରେ ଅତଡ଼ା ଧସିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନଥିବା ଦେଖାଦେଇଛି।

ବର୍ଷା ଯୋଗୁଁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ଘାଇ ସୃଷ୍ଟି ହୋଇ ଦ୍ଵିପାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe