ରାୟଗଡ଼ା ଜିଲ୍ଲାରେ ଛେଳି ଓ ମାଛ ଚାଷ କରି ଲାଭବାନ ହେଉଛନ୍ତି ମହିଳା। ମିଶନ ଶକ୍ତି ସହାୟତାରେ ଦିଆଯାଉଛି ତାଲିମ।

117

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଧାରଣରେ ଆସୁଛି ସୁଧାର । ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆ ନୂଆ ଚାଷ ଆପଣାଉଛନ୍ତି । ମାଛ ଚାଷ ଓ ଛେଳି ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏଠାକାର ଲୋକଙ୍କ ଜୀବିକା କହିଲେ ଧାନ, କପା ଓ ପରିବା ଚାଷ । କିନ୍ତୁ ଏବେ ଏଠାକାର ଆଦିବାସୀ ମହିଳାଙ୍କ ଜୀବନ ଜୀବିକାରେ ଏବେ ଆସିଛି ପରିବର୍ତନ । ନୂତନ ପଦ୍ଧତିର ଚାଷ ଆପଣାଇ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି ଆଦିବାସୀ ମହିଳା । ଆଉ ଏଥିରେ ସହଯୋଗର ହାତ ବଢ଼ାଇଛି ମିଶନ ଶକ୍ତି । ୧୦ ଜଣ ମହିଳା ଏକାଠି ହୋଇ ଏସଏଚଜି ଗ୍ରୁପ୍ ଗଠନ କରି ପଞ୍ଚାୟତ ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରିଛନ୍ତି । ଉନ୍ନତମାନର ମାଛ ଚାଷ ପାଇଁ ମିଶନ ଶକ୍ତି ସହାୟତାରେ ଫିସରି ଡିପାର୍ଟମେଣ୍ଟରୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ପାଇଁ ତାଲିମ ଗ୍ରହଣ କରିଛନ୍ତି । ପୋଖରୀରୁ ଉତ୍ପାଦିତ ହେଉଥିବା ମାଛକୁ ସ୍ଥାନୀୟ ଅଞ୍ଚଳ ସହ ଆଖପାଖ ଅଞ୍ଚଳର ବ୍ୟବସାୟୀଙ୍କୁ ବିିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ଖାଲି ମାଛ ଚାଷ ନୁହେଁ ଏହି ଗ୍ରୁପର ସମ୍ପାଦିକା ରେବତୀ ଶବର ଗୋଟ ଫାର୍ମ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ମିଶନ ଶକ୍ତି ଜରିଆରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଇଣ୍ଡିଭିଜୁଆଲ ମୋଡରେ ତାଙ୍କୁ ୧୧ଟି ଛେଳି ଯୋଗାଇଦିଆଯାଇଛି । ଫାର୍ମରେ ଛେଳିମାନଙ୍କର ସମସ୍ତ ରକ୍ଷଣବେକ୍ଷଣା ଦାୟିତ୍ୱ ନିଅନ୍ତି ଏହି ମହିଳା ଜଣଙ୍କ । ବର୍ତମାନ ରେବତୀଙ୍କ ଫାର୍ମରେ ୫୦ରୁ ଉଦ୍ଧ୍ୱର୍ ଛେଳି ରହିଛି । ଛେଳି ଚରାଇବା ସହ ସେମାନଙ୍କୁ ଖାଦ୍ୟ ଦେବା ଭଳି ସମସ୍ତ କାମ କରନ୍ତି ରେବତୀ । ବାସ୍ତବରେଏହି ଆଦିବାସୀ ମହିଳାଙ୍କ ଏଭଳି ପ୍ରୟାସ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।