ଭାରତ-ଚୀନ୍ ବିବାଦର କଚ୍ଚା ଚିଠା ଖୋଲିଲେ ପ୍ରତିରକ୍ଷା ମନ୍ତ୍ରୀ । ସଂସଦରେ ରାଜନାଥ ସିଂହ କହିଲେ, ଏଯାଏଁ ହୋଇନି ସୀମା ବିବାଦର ସମ୍ପୂର୍ଣ୍ଣ ସମାଧାନ, ୫ମାସ ହେଲା ଚୀନକୁ କଡା ଜବାବ ଦେଉଛି ଭାରତୀୟ ସେନା ।

880

କନକ ବ୍ୟୁରୋ : ଭାରତ-ଚୀନ ବିବାଦର ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏଯାଏଁ ହୋଇନି ସୀମା ବିବାଦ ସମ୍ପୂର୍ଣ୍ଣ ସମାଧାନ । ତେବେ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ଭାରତ, କିନ୍ତୁ ସବୁ ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ରହିଥିବା ନେଇ ସେ ସୂଚନା ଦେଇଛନ୍ତି । ୫ମାସ ହେଲା ଚୀନକୁ କଡା ଜବାବ ଦେଉଛି ଭାରତୀୟ ସେନା । ଆଗକୁ ମଧ୍ୟ ଭାରତର ଏହି ଆଭିମୁଖ୍ୟ ଜାରି ରହିବ ।

ଭାରତ-ଚୀନ୍ ସୀମାରେ ଏବେବି ଉତ୍ତେଜନା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ସ୍ଥିତି ଜଟିଳ ଏବଂ ଚରମ ସ୍ତରରେ ରହିଛି । ଏଲଏସିରେ ଭାରତୀୟ ସେନାର ସ୍ଥିତି ବାବଦରେ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଚୀନ, ଭାରତୀୟ ସୀମାରେ ଅବୈଧ ପ୍ରବେଶ କରି ଅକ୍ତିଆର କରିଛି ।

ଗଲୱାନରେ ବଡ ଧରଣର କ୍ଷତି ସହିଛି ଚୀନ୍ । ଠିକ୍ ଜବାବ ଦେଇଛି ଭାରତୀୟ ସେନା । ବର୍ଷ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଅଶାନ୍ତି ଜାରି ରହିଥିବା ବେଳେ ଜୁନ୍ ୧୫ ତାରିଖରେ ଗଲୱାନରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ସବୁ ସୀମା ଟପିଯାଇଥିଲା । ରାଜନାଥ କହିଛନ୍ତି, ଗଲୱାନରେ ଘଟିଥିବା ସଂଘର୍ଷରେ ଚୀନ୍ ବଡ ଧରଣର କ୍ଷତି ସହିଛି । ଏବଂ ସେଦିନ ସୀମାରେ ଶତ୍ରୁଙ୍କୁ ଉଚିତ ଜବାବ ଦେଇଛି ଭାରତୀୟ ଯବାନ ।

ଏପ୍ରିଲରୁ ଏଯାଏଁ ହୋଇଛି କ’ଣ ? ସୀମା ସ୍ଥିତି ସୂଚନା ଦେଲେ ରାଜନାଥ । ମାସେ କି ଦୁଇ ମାସ ନୁହେଁ, ଏପ୍ରିଲ ମାସରୁ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରିଛି ଚୀନ୍ । ସୀମାରେ ବିପୁଳ ସଂଖ୍ୟାରେ ସେନା ମୁତୟନ କରିବା ସହ ଗୁଳିଗୋଳା ମହଜୁଦ କରିଛି ।

ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ଭାରତ । ଉତ୍ତେଜନା ବଢାଇଲେ ଜବାବ ଦେବା ବି ଜାଣେ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭାରତ ସବୁବେଳେ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ । ସୀମାରେ ଶାନ୍ତି ଚାହେଁ । ହେଲେ, ଚୀନ୍ ଯଦି ଉତ୍ତେଜନା ବଢାଏ ତେବେ ଏହାର ଜବାବ ବି ଦେଇ ଜାଣେ ଭାରତୀୟ ସେନା ।

ଭାରତ ଓ ଚୀନ୍ ମଧ୍ୟରେ ରହିଛି ୩ ହଜାର ୫ଶହ କିଲୋମିଟରର ସୀମା । ଏବଂ ଏହି ସୀମାକୁ ନେଇ ସବୁବେଳେ ବିବାଦ ଲାଗି ରହିଛି । ଏହାରି ଭିତରେ ୧୯୬୨ ଯୁଦ୍ଧ ପରେ ଜୁନ୍ ୧୫ ତାରିଖରେ ଲଦ୍ଦାଖ ସୀମାର ଗଲୱାନରେ ଘଟିଥିବା ସଂଘର୍ଷ ଏହି ବିବାଦକୁ ଆହୁରି ବଢାଇଦେଇଛି ।