କନକ ବ୍ୟୁରୋ: ସାଧାରଣତଃ ନଡ଼ିଆ ଖାଇବା ପରେ ଏହାର କତାକୁ ସମସ୍ତେ ଫୋପାଡ଼ି ଦେଇଥାଆନ୍ତି । କିନ୍ତୁ ଏହି କତାକୁ ଠିକ୍ ଭାବେ ଉପଯୋଗ କଲେ ଏହା ରୋଜଗାରର ମାଧ୍ୟମ ହୋଇପାରିବ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା କାଳିସୀପଡ଼ା ଗାଁର ମହିଳା ମାନେ । ୪୨ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି କୁଟିର ଶିଳ୍ପ ଅନେକଙ୍କୁ ରୋଜଗାର ଯୋଗାଇଛି । ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବେପାର ଏବେ ୫ କୋଟିରେ ପହଞ୍ଚିଲାଣି । ପ୍ରଥମେ ପ୍ରଥମେ ସାଇକେଲ ରିମରେ ରଶି ଗୁଡ଼ାଇ ବେପାର କରୁଥିଲେ ଏବେ ୩୦ରୁ ୪୦ଟି ଇଲେକ୍ଟ୍ରୋନିକ ମେସିନ୍ ବସାଇ ନଡ଼ିଆ କତାରୁ ରଶି ପ୍ରସ୍ତୁତ କରି ସେଥିରୁ ପାପୋଛ, କତାର କଣ୍ଢେଇ ଓ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

Advertisment

ପୂର୍ବରୁ ବାହାରୁ ନଡିଆ କତା ଆଣୁଥିବା ବେଳେ ଏବେ ସ୍ଥାନୀୟ ଅଂଚଳରୁ ଏହାକୁ ସଂଗ୍ରହ କରାଯାଉଛି । ମେସିନ ସାହାଯ୍ୟରେ କତାକୁ ଗୁଣ୍ଡ କରି ପ୍ରକ୍ରିୟାକରଣ କରିବା ପରେ ସେଥିରୁ ରଶି ପ୍ରସ୍ତୁତ କରାଯାଉଛି । ପାଖାପାଖି ୬୦ରୁ ୭୦ ଜଣ ମହିଳା ଏଥିରେ କାମ କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ପୂର୍ବରୁ କତାରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଗୁଡ଼ିକୁ ମହିଳାମାନେ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଲଗାଇ ବିକ୍ରି କରୁଥିଲେ । ଏବେ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଅଞ୍ଚଳର ବ୍ୟବସାୟୀ ମାନେ ଆସି ସେମାନଙ୍କ ଠାରୁ କିଣି ନେଉଛନ୍ତି ।

ଗୃହିଣୀ, ଯୁବକ, ଯୁବତୀ ଓ ଅସହାୟ ମହିଳାମାନେ ଏଠାରେ କାମ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ନିଜର ସୁବିଧା ଅନୁସାରେ ତିନୋଟି ସିପ୍ଟରେ ଏଠାରେ କାମ କରୁଛନ୍ତି ମହିଳା । କାମ ଅନୁସାରେ ମାସିକ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି । ଏଥିରେ ପିଲାଙ୍କ ପାଠପଢା ଖର୍ଚ୍ଚ କରିବା ସହ ଘର ଖର୍ଚ୍ଚରେ ସହଯୋଗ କରିପାରୁଛନ୍ତି । ତେବେ କେନ୍ଦ୍ରାପଡ଼ା ଅଂଚଳର ମହିଳାମାନଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା ।