ନିଜ ଜନ୍ମମାଟିରେ ମୋଦି ! ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଗଲେ ବଡନଗର

32

କନକ ବ୍ୟୁରୋ: ଜୀବନ୍ତ ହୋଇଉଠିଛି ଗୁଜୁରାଟର ବଡନଗର । ସଜେଇ ହୋଇଛି ପୂରା ଗାଁ । ବଡନଗରରେ ଜନ୍ମିତ ଶିଶୁ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିବା ପରେ ପ୍ରଥମଥର ନିଜ ଜନ୍ମଭୂମିକୁ ଆସିଛନ୍ତି । ପ୍ରବଳ ଜନସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ଗ୍ରାମବାସୀ । ୬କଲୋମିଟର ରୋଡ ସୋ ମଧ୍ୟ କରିଥିଲେ ନରେନ୍ଦ୍ର ମୋଦି । ରୋଡର ଉଭୟ ପାଶ୍ୱର୍ରେ ଲଗାଯାଇଛି ଅନେକ ବ୍ୟାନର । ଯେଉଁଥିରେ ମୋଦିଙ୍କ ସଫଳତା ବିଷୟରେ ଲେଖାଯାଇଛି । ବିମୁଦ୍ରୀକରଣ,ବୈଦେଶିକ ସମ୍ପର୍କ, ବୁଲେଟ ଟ୍ରେନ ଆଦି ସ୍ଥାନପାଇଛି ବ୍ୟାନରରେ ।

ବଡନଗର ଗସ୍ତ କାଳରେ ମୋଦି ୪ଶହକୋଟି ଟଙ୍କା ବ୍ୟାନରରେ ନିର୍ମିତ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏଥିସହ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତା କାମନା କରିଛନ୍ତି ।ଏହାପରେ ସେଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି । କହିଛନ୍ତି, ମୁଁ ଆଜି ଯାହା ବି ହୋଇଛି ତାହା ଏଠାକାର ମାଟି ଓ ସଂସ୍କାର ପାଇଁ ସମ୍ଭବ ହୋଇପାରିଛି ।

ବିଏମ ହାଇସ୍କୁଲ ଗେଟ ନିକଟରେ ପହଂଚିବା ପରେ ତଳେ ବସିଯାଇ ନିଜ ଜନ୍ମମାଟିକୁ ମୁଣ୍ଡରେ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୋଦିଙ୍କୁ ପାଖରୁ ଦେଖିବାକୁ ବଡନଗରବାସୀଙ୍କ ଭିଡ ଜମିଥିଲା । ଜନ୍ମମାଟି ପାଇଁ ମୋଦିଙ୍କ ଆକର୍ଷଣ ଦେଖିବାକୁ ମିଳିଥିଲା ମୋଦିଙ୍କ ଜନସଭାରେ ହଜାର ହଜାର ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । । ବଡନଗର ୨୫ହଜାର ବର୍ଷର ସହର ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି ।

ବଡନଗରରେ ରୋଡ ସୋ ପରେ ଗାଁର ହଟକେଶ୍ୱର ମନ୍ଦିରରେ ମହାପ୍ରଭୁ ଶିବଙ୍କୁ ଆରାଧନା କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ, ବିରୋଧୀଙ୍କ ଅପପ୍ରଚାର ଭଳି ବିଷକୁ ପାନ କରିବା ଲାଗି ମହାପ୍ରଭୁ ଶିବ ହିଁ ତାଙ୍କୁ ଶକ୍ତି ଦେଇଛନ୍ତି ।

ଜନ୍ମମାଟିରେ ଗ୍ରାମବାସୀଙ୍କୁ ସମ୍ଭୋଧିତ କରି ମୋଦି କହିଛନ୍ତି, ଭଲ ଡାକ୍ତର କିମ୍ବା ଭଲ ଖାଦ୍ୟ ଉତମ ସ୍ୱାସ୍ଥ୍ୟର ଗ୍ୟାରେଂଟି ନଦେଇପାରେ । କିନ୍ତୁ ଉତମ ପରିମଳ ଆପଣଙ୍କୁ ନିରୋଗ ରଖିବାର ଗ୍ୟାରେଂଟି ଦେବ । ଗୁଜୁରାଟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ କେତେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ । ନିଜ ଗାଁରେ ନିର୍ମିତ ରେଲୱେ ବିଲ୍ଡିଂକୁ ବଡନଗରବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବଡନଗରରେ ଆୟୋଜିତ ଜନସଭାକୁ ମୋଦି ସମ୍ବୋଧିତ କରିଛନ୍ତି । ୨୦୧୧ରେ ସେ ଶେଷଥର ପାଇଁ ବଡନଗର ଯାଇଥିଲେ । ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ମୋଦି ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ । ମୋଦିଙ୍କ ସ୍ମୃତି ବହନ କରୁଥିବା ଚା’ ଦୋକାନକୁ ଫୁଲରେ ସଜାଯାଇଛି । ପ୍ରଧାନମନ୍ତ୍ରୀ ହୋଇ ଘରକୁ ଫେରିଛି ବିଜୟୀ ବଡନଗର ବାଳକ । ଟୁଇଟ୍ କରି ମୋଦି କହିଛନ୍ତି, ଏହି ଗସ୍ତ ମୋ ପିଲାଦିନର ଅନେକ ସ୍ମୃତିକୁ ଉଜ୍ଜିବୀତ କରାଇବ ।