ମମତାଙ୍କ ଗଡରେ ଅମିତ ଶାହାଙ୍କ ହୁଙ୍କାର: ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ; ସେପଟେ ବିଜେପି ଓ ବିଦ୍ରୋହୀଙ୍କୁ କାଉଁଣ୍ଟର କରିବାକୁ ଦିଦିଙ୍କ ଖାସ ରଣନୀତି

ଶୁଭେନ୍ଦୁଙ୍କୁ ନିଜ ଗଡରେ ଘେରିବାକୁ ଚାଲିଛି ପ୍ରସ୍ତୁତି

82

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର ନେତାମାନେ ମୋଦିଙ୍କ ହାତ ଧରିଛନ୍ତି ।

ବିଜେପିକୁ ଓ ବିଦ୍ରୋହୀଙ୍କୁ ଚେକ ଦେବା ଲାଗି ମମତା ବାନାର୍ଜୀ ବି ଖାସ ରଣନୀତି କରିଛନ୍ତି ।  ଶୁଭେନ୍ଦୁ ଟିଏମସିର ନମ୍ବର-୨ ଥିଲେ । କିନ୍ତୁ ପ୍ରଶାନ୍ତ କିଶୋର ଓ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଦଳରେ ପ୍ରଭାବ ବଢିବା ହେତୁ ସେ ଓ ଅନ୍ୟମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି । ଏବେ ଶୁଭେନ୍ଦୁଙ୍କୁ ତାଙ୍କ ନିଜ ଗଡ ମେଦିନାପୁରରେ ଘେରିବା ପାଇଁ  ମମତା ଓ ତାଙ୍କ ଟିମ ଖାସ ରଣନୀତି ତିଆରି କରିବାରେ ଲାଗିଛନ୍ତି । ଶୁଭେନ୍ଦୁଙ୍କ ଗ୍ରାମୀଣ ଭୋଟ-ବ୍ୟାଙ୍କ ଉପରେ ନଜର ରଖିଛନ୍ତି  ମମତା ବାନାର୍ଜୀ ।

ଶୁଭେନ୍ଦୁଙ୍କୁ  ପ୍ରଥରୁ ହିଁ ଟିଏମସିରୁ ବହିଷ୍କାର କରିବାକୁ ଚାହୁଁଥିଲେ ମମତା । କିନ୍ତୁ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ଏବେ ନିର୍ବାଚନର ଯଥେଷ୍ଟ ପୂର୍ବରୁ  ଶୁଭେନ୍ଦୁ ବିଜେପିକୁ ଯାଇଥିବାରୁ ମମତାଙ୍କୁ ପ୍ରଚାର ପାଇଁ ଯଥେଷ୍ଟ ସମୟ ମିଳିଯିବ । ପୂର୍ବ ମେଦିନାପୁରରେ ପ୍ରଚାର ପାଇଁ ମମତା ଅଂଟଭିଡିଛନ୍ତି । ଏହି ଅଂଚଳର ୩୫୦ ବ୍ଲକ ଓ  ୭୦ ଡିଭିଜନରେ କର୍ମୀ ସମ୍ମିଳନୀ ଆୟୋଜନ ହେବ ।  ଏହି ଅଂଚଳରେ ପ୍ରାୟ ୩୫ଟି ବିଧାନସଭାରେ ସଂଖ୍ୟାଲଘୁଙ୍କ ପ୍ରଭାବ ରହିଛି । ତେଣୁ ଏହିଭୋଟ ଏବେ ଆଉ ଶୁଭେନ୍ଦୁଙ୍କ ମିଳିବ ନାହିଁ ବୋଲି ଆକଳନ କରିଛି ତୃଣମୂଳ କଂଗ୍ରେସ ।

ଏହାଛଡା ବର୍ତମାନର ବିଧାୟକଙ୍କ ଟିକେଟ ନ ଦେଇ ନୂଆ ଚେହେରାକୁ  ସାମ୍ନାକୁ ଆଣିବାକୁ ଚାହୁଁଛି ଦଳ । ମମତା ବାନାର୍ଜୀ ଆସନ୍ତା ମାସରୁ  ପଶ୍ଚିମବଙ୍ଗରେ  ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।  ମୋଦି ମଧ୍ୟ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିଜେପି ଏହାକୁ  ମୋଦି ବନାମ ମମତା ଲଢେଇ କହିବ । କିନ୍ତୁ ମମତା ଏଭଳି କରିବାକୁ ଚାହାନ୍ତି ନାହିଁ ।  ସେ ବଙ୍ଗଳା ବନାମ ବାହାରି  ନାରା ଦେବାକୁ ପ୍ରସ୍ତୁତ ହେଉଛନ୍ତି ।