ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ! କହିଲେ, ଜ୍ଞାନ ପଛରେ ଦୌଡ ନମ୍ବର ପଛରେ ନୁହେଁ

98

କନକ ବ୍ୟୁରୋ : ପରୀକ୍ଷାର୍ଥୀଙ୍କୁ ସଫଳତାର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଆୟୋଜିତ- ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ, ଦେଶବିଦେଶର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ପାଇଁ ଉପାଦେୟ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ଞାନ ପଛରେ ଦୌଡ, ନମ୍ବର ପଛରେ ନୁହେଁ ।

ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସଫଳତାର ସୂତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ପରୀକ୍ଷାରେ ଭୂଲ ହେଲେ ବି ଭବିଷ୍ୟତ ବଦଳିଯିବ ନାହି ାଁ ତେଣୁ ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଦରକାର । ପରୀକ୍ଷା ପୂର୍ବରୁ ପିଲାଙ୍କୁ ଚାପମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପରୀକ୍ଷା ସମୟରେ କଣ କରିବେ, କେମିତି ନିଜକୁ ପ୍ରସ୍ତୁତ କରିବେ, କଣ କୌଶଳ ଆପଣାଇବେ, ସେନେଇ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପରୀକ୍ଷା ବାହାରେ ବି ବଡ ଦୁନିଆ ରହିଛି ଏବଂ ଜୀବନର ପ୍ରତିକ୍ଷଣ ସଂଘର୍ଷପୂର୍ଣ୍ଣ ।

ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମରେ କିଛି ଅଭିଭାବକ ପରୀକ୍ଷା ସମୟରେ ପିଲାମାନେ ଅନ୍ୟମନସ୍କ ଓ ଚିଡଚିଡ୍ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ସାମନାରେ ରଖିଥିଲେ । ପିଲାମାନଙ୍କ ଏଭଳି ଆଚରଣ ପାଇଁ ମୋବାଇଲ୍ ଗେମ୍ ଦାୟୀ କି ବୋଲି ଜାଣିବାକୁ ଚାହିଁଥିଲେ ପ୍ରଧାନମନ୍ତ୍ରୀ । ଏବଂ ମଜାଳିଆ ଢଙ୍ଗରେ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଓ ବିଦେଶର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ଅନେକ ଟିପ୍ପ ଦେଇଛନ୍ତି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଅଭିଭାବକ ସାମିଲ ହୋଇଥିଲେ ।