ପାକିସ୍ତାନର ଅସଲି ଚିତ୍ର ବଖାଣିଲେ ପିଟିଆଇର ପୂର୍ବତନ ବିଧାୟକ ବଳଦେବ କୁମାର ସିଂହ । କହିଲେ, ମୁସଲିମ ବି ପାକିସ୍ତାନରେ ନୁହନ୍ତି ସୁରକ୍ଷିତ

381

କନକ ବ୍ୟୁରୋ : ପାକିସ୍ତାନର ମୁଖା ଖୋଲିଲେ ଇମ୍ରାନ ସରକାରଙ୍କ ନେତା । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଏ-ଇନସାଫ୍ ବା ପିଟିଆଇରୁ ପୂର୍ବରୁ ବିଧାୟକ ରହିଥିବା ବଳଦେବ କୁମାର ସିଂହ ଏବେ ପାକିସ୍ତାନ ଛାଡି ଭାରତ ଚାଲିଆସିଛନ୍ତି । ଭାରତ ଆସିବା ପରେ ବଳଦେବ ସେଠାକାର କାହାଣୀ ବଖାଣିଛନ୍ତି । ପାକିସ୍ତାନରେ କିଭଳି ଅତ୍ୟାଚାର ହେଉଛି ସେନେଇ ସେ ପୁରା କାହାଣୀ କହିଛନ୍ତିି । ଏହାସହ ସେ କହିଛନ୍ତି ଯେ ସେ ସେଠାରେ ସୁରକ୍ଷିତ ନଥିଲେ । କେବଳ ସେ ନୁହଁନ୍ତି ସେଠାରେ ସମସ୍ତ ହିନ୍ଦୁ ଓ ଶିଖମାନଙ୍କ ପ୍ରତି ବିପଦ ରହିଛି । ତାଙ୍କ ଉପରେ ଅତ୍ୟାଚାର ବଢିଚାଲିବା କାରଣରୁ ସେ ଭାରତକୁ ଆସିଲେ । ଇମ୍ରାନଖାନ ତାଙ୍କର କୌଣସି ପ୍ରତିଶ୍ରୁତି ପାଳନ କରିନଥିବା ସେ କହିଛନ୍ତି ।

ଏସବୁକୁ ନେଇ ବଳଦେବ, ମୋଦି ସରକାରଙ୍କ ଦୃଷ୍ଟ ଆକର୍ଷଣ କରିବା ସହ ତାଙ୍କୁ ଏଦିଗରେ ଦୃଷ୍ଟି ଦେବାକୁ ଗୁହାରି କରିଛନ୍ତି । ମୋଦି ତାଙ୍କୁ ଶରଣ ଦିଅନ୍ତୁ ବୋଲି କହିବା ସହ ସେଠାରେ ଥିବା ସମସ୍ତ ହିନ୍ଦୁ ଓ ଶିଖମାନଙ୍କ କଥା ବୁଝନ୍ତୁ ବୋଲି ସେ ଆବେଦନ କରିଛନ୍ତି । ବଳଦେବ କୁମାର ସିଂହ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତର ବାରିକୋଟ ଆସନରୁ ବିଧାୟକ ରହିଥିଲେ । ବର୍ତମାନ ସପରିବାର ସହ ଜୀବନ ବଂଚାଇ ଭାରତ ଫେରି ଆସିଛନ୍ତି  ।