କନକ ବ୍ୟୁରୋ: ପୁଣି ଦେଶରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍ ଉପର ମୁହାଁ ରହିଛି । ସେହିପରି ପଜିଟିଭିଟି ରେଟ୍ ମଧ୍ୟ ୫ପ୍ରତିଶତ ପହଁଚିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ୫ ପ୍ରତିଶତ ପଜିଟିଭିଟି ରେଟ୍ ଚିନ୍ତାଜନକ ବିଷୟ ।

ଦିଲ୍ଲୀରେ ପୁଣି ବଢିଲା କରୋନା ସଂକ୍ରମଣ । ରବିବାର ରାଜଧାନୀରେ ୫୧୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ବି ୪.୨୧% ପହଁଚି ସାରିଲାଣି । ରାଜଧାନୀରେ ଯେଉଁ ବେଗରେ କରୋନା ମାମଲା ବଢିବାରେ ଲାଗିଛି, ଦେଶରେ ୪ର୍ଥ ଲହର ଆସିବାର ଆଶଙ୍କା ବଢାଇଦେଇଛି । ସେପଟେ ସରାକର କହୁଛନ୍ତି ପରିସ୍ଥିତି ଚିନ୍ତାଜନକ ନାହିଁ । କାରଣ ଡାକ୍ତରଖାନାରେ ଭର୍ତି ହେଉଥିବା ରୋଗୀ ସଂଖ୍ୟା କମ୍ ରହିଛି । କିନ୍ତୁ ଘରେ ସଙ୍ଗରୋଧରେ ରହୁଥିବା ରୋଗୀସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି ।

- ଶନିବାର ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିଥିବା କରୋନା ଆକ୍ରାନ୍ତ ସଂଖ୍ୟା ୭୭୨ ରହିଥିଲା
- ରହିବାର ଏହି ସଂଖ୍ୟା ବଢି ୯୬୪ରେ ପହଁଚିଛି
- ଗତ ଏପ୍ରିଲ ୧ରେ ଘରେ ସଙ୍ଗରୋଧରେ ରହୁଥିବା ରୋଗୀ ସଂଖ୍ୟା ୩୩୨

ସେପଟେ ଦେଶରେ ବି କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୨, ୧୮୩ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ତିନି ଦିନ ଭିତରେ କରୋନା ସଂକ୍ରମଣରେ ୯୦% ବୃଦ୍ଧି ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀ ପରେ ୟୁପି ଓ ହରିଆଣାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।

କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ଉତରପ୍ରଦେଶରେ ପୁଣିଥରେ ଶକ୍ତ କଟକଣା ଲାଗୁ କଲେଣି ସରକାର । ୟୁପିର ଯୋଗୀ ସରକାର ନିଜ ରାଜ୍ୟରେ ମାସ୍କ ବ୍ୟବହାରକୁ ପୁଣିଥରେ ବାଧ୍ୟତା ମୂଳକ କରିଛନ୍ତି । ବିଶେଷ କରି ଲଖ୍ନୌ ସମେତ ନଏଡା, ଗାଜିଆବାଦ, ମେରଠ, ବାଗପତ ଓ ଏନସିଆରରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ୟୁପିରେ ଗତ ୨୪ ଘଂଟାରେ ୧୧୫ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୬୯୫ ଜଣ ସକ୍ରିୟ ରୋଗୀ ରହିଛନ୍ତି ।