କେଉଁଠି ଅଲୋଡା, କାହା ପାଇଁ ଆର୍ଶୀବାଦ । ଯାଜପୁରରୁ ଆସିଲା ମା ଓ ମମତାର ଦୁଇଟି ଖବର । ଗୋଟିଏରେ ଅଲୋଡା ହୋଇଛି ଜନ୍ମିତ ଶିଶୁ, ଅନ୍ୟଟିରେ ବାପା, ମା ପାଇଲେ ଅନାଥ କନ୍ୟା ।

516

କନକ ବ୍ୟୁରୋ:  ଶିଶୁ…ଅନ୍ଧାରରେ ଅନ୍ଧର ଲଉଡି, ଆଲୁଅରେ ଶେଷ ଆଶାର ବାଡି । ଗୋଟେ ଶିଶୁ ନାରୀକୁ ପୂର୍ଣ୍ଣତା ଦିଏ..ପୁରୁଷର ବାପା ପଣିଆକୁ ଆହୁରି ଅଧିକ ମଝଭୁତ୍ କରେ ସେ…।  ସେ ବାପା ମା’ଙ୍କ ଜୀବର ଧନ…ଆଉ ବୁଢା ବାପା, ଜେଜେ ମାଙ୍କ କୁଳର ନନ୍ଦନ ।

ଶିଶୁ ଆଉ ସନ୍ତାନ ପାଇଁ ଏମିତି ଅନେକ ଶବ୍ଦ ଆପଣ ଶୁଣିଥିବେ, ପଢିଥିବେ ଆଉ ଅନୁଭବ କରିଥିବେ । ହେଲେ ଯାଜପୁରରେ ଘଟିଥିବା ଦୁଇଟି ଘଟଣା କିନ୍ତୁ ସମସ୍ତଙ୍କୁ ଦୋହଲାଇ ଦେଇଛି । ଗୋଟିଏ ପଟେ ଶିଶୁ ଅଲୋଡା ହୋଇଥିବାବେଳେ, ଅନ୍ୟପଟେ ବିଦେଶୀ ଦମ୍ପତିଙ୍କ ଆଶାବାଡି ହେବାକୁ ଯାଉଛନ୍ତି ଦୁଇ ଅନାଥ ଝିଅ ଶ୍ରାବଣୀ ଆଉ ସାରଥୀ ।

ଓଠରେ ମେଞ୍ଚାଏ ହସ, ଆଉ ଆଖିରେ ଆଖିଏ ସପନ । ଆଉ ଅନାଥ ନୁହେଁ, ଏବେ ବାପା ମା ପାଇଛନ୍ତି ଦୁଇ କଅଁଳ କନ୍ୟା । ଯାଜପୁର ବ୍ୟାସନଗର ଅନ୍ନପର୍ଣ୍ଣା କନ୍ୟାଶ୍ରମରେ ରହୁଥିବା ଦୁଇ ଅନାଥ ଶିଶୁଙ୍କୁ କୋଳେଇ ନେବାକୁ ବିଦେଶରୁ ଧାଇଁ ଆସିଛନ୍ତି ଏହି ବିଦେଶୀ ଦମ୍ପତି । ଆଉ ହସ ହସ ମୁହଁରେ ଏ ଅଭାବୀ ଦୁନିଆରୁ ତାଙ୍କୁ ନେବାକୁ ବାହାରିଛନ୍ତି ସୁଦୂର ଫ୍ରାନ୍ସକୁ । ହେଲେ ଆଉ ଗୋଟେ ପଟେ ତୃତୀୟ ଲିଙ୍ଗୀ ବୋଲି ଅଲୋଡା ହେଇଯାଇଛି ଗୋଟେ ମା ପେଟରୁ ଜନ୍ମିତ କଅଁଳ କଢି ଟିଏ ।

ଗୋଟିଏ ପଟେ ଯାଜପୁରର ଦୁଇ ଅନାଥ ଝିଅଙ୍କୁ ବିଦେଶୀ ଦମ୍ପତି କୋଳେଇ ନେଉଥିବାବେଳେ, ସେହି ଜିଲ୍ଲାରେ ହିଁ ଅଲୋଡା ହେଇପଡିଛନ୍ତି ଜଣେ କଅଁଳ କୁନି ଶିଶୁ । ଆଉ ଏ କୁନି ଶିଶୁର ଭୁଲ୍ ଏତିକି ଯେ, ସେ ହେଉଛି ଜଣେ ତୃତୀୟ ଲିଙ୍ଗୀ । ଯାଜପୁର ହରିପୁର ଅଞ୍ଚଳର ସେହ୍ନଲତା ୧୦ ତାରିଖରେ ଜଣେ ଶିଶୁଙ୍କୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଡାକ୍ତର ଯେତେବେଳେ ତୃତୀୟ ଲିଙ୍ଗୀ ବୋଲି କହିଥିଲେ, ସେତେବେଳେ ସେହ୍ନଲତାଙ୍କୁ ଶାଶୁ ଘର ଲୋକେ ତାଙ୍କୁ ଛାଡି ଚାଲିଯାଇଥିଲେ । ଏପରିକି ନିଜେ ସ୍ୱାମୀ ମଧ୍ୟ ସେହ୍ନଲତାଙ୍କୁ ପର କରିଦେଇଥିଲେ । ଛୁଆକୁ ନେଇ ଘରକୁ ଫେରିଲେ, ତାଙ୍କ ଘର କବାଟ୍ ତାଙ୍କ ପାଇଁ ବନ୍ଦ ବୋଲି କହିଥିଲେ ସେହ୍ନଲତାଙ୍କ ସ୍ୱାମୀ ।

ଆମ ସମାଜରେ ଶିଶୁକୁ ଇଶ୍ୱରଙ୍କ ଦାନ ବୋଲି କୁହାଯାଏ । ହେଲେ ଆଜି ବି ଲିଙ୍ଗଗତ ଭେଦଭେଦ ଆମ ସମାଜରେ କେଉଁ ଭାଇରସ୍ ରୋଗଠୁ ବି ଅଧିକ ବ୍ୟାପି ରହିଛି । ଗୋଟିଏ ପଟେ ଦୁଇ ଅନାଥ ଶିଶୁଙ୍କୁ ବିଦେଶୀ ଦମ୍ପତି ଆପଣାଉଥିବାବେଳେ, ଅନ୍ୟପଟେ ତୃତୀୟ ଲିଙ୍ଗୀ ବୋଲି ଅଲୋଡା ହେଇଯାଇଛନ୍ତି ଏହି କଅଁଳ ନିଷ୍ପାପ ଶିଶୁ ଜଣକ ।