ଛତିଶଗଡ଼ ଅଟକାଇଦେଲା ମହାନଦୀ ପାଣି : ଅଣ ମୌସୁମୀ ଋତୁ ଆରମ୍ଭରୁ ବନ୍ଦ କଲା କଲମା ବ୍ୟାରେଜର ୬୧ ଗେଟ୍

ହୀରାକୁଦରେ କମୁଛି ପାଣି, ବାଧାପ୍ରାପ୍ତ ହୋଇପାରେ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ

136

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ବଡ ଚାଲ ଖେଳିଛି ପଡୋଷୀ ଛତିଶଗଡ । ଅଣମୌସୁମୀ ଋତୁ ଆରମ୍ଭ ହେବାକ୍ଷଣି କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ଆରମ୍ଭ କରିଦେଇଛି । ଛତିଶଗଡରେ କଲମା ବ୍ୟାରେଜର ୬୧ଟି ଗେଟ୍ ବନ୍ଦ ଥିବା ଜଣାପଡିଛି । ଫଳରେ ବର୍ତମାନ ମାତ୍ର ୫ଟି ଗେଟ୍ ଦେଇ ମାତ୍ର ୫ ହଜାର ୧୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯ ହଜାର ୯୪୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯ ଦଶମିକ ୭୫ ଫୁଟ୍ ।

ତେବେ ହୀରାକୁଦକୁ ଜଳ ପ୍ରବାହ କମିବା ଫଳରେ ବାଧାପ୍ରାପ୍ତ ହେବ ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ । ହୀରାକୁଦ ଜଳଭଣ୍ଡାର ମୁଖ୍ୟତଃ ମହାନଦୀ ଓ ଏହାର ଉପନଦୀ ଗୁଡିକ ଉପରେ ନିର୍ଭର କରିଥାଏ । ହୀରାକୁଦ ଜଳଭଣ୍ଡାରର କ୍ୟାଚମେଂଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡରେ ରହିଥିବାବେଳେ ବାକି ଅଂଚଳ ଓଡିଶାରେ ରହିଛି । ଜୁନ୍ ୧ରୁ ଅକ୍ଟୋବର ୩୧ ମୌସୁମୀ ଋତୁରେ ହୀରାକୁଦକୁ ଯେତିକି ପାଣି ଆସିଥାଏ ଅଣମୌସୁମୀ ଋତୁ ଅର୍ଥାତ ନଭେମ୍ବରରୁ ମେ’ ମାସ ମଧ୍ୟରେ ତାଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରେ । ଛତିଶଗଡରେ କଲମା ବ୍ୟାରେଜ ହେବା ଦିନରୁ ଅଣମୌସୁମୀ ଋତୁରେ ଆଗଭଳି ଆଉ ପାଣି ଆସୁନାହିଁ ।