ଓଡ଼ିଶା କହୁଛି ଛତିଶଗଡ଼ ଶୁଣୁନି : ବନ୍ୟା ନିୟନ୍ତ୍ରଣ ପାଇଁ ମୌସୁମୀ ପୂର୍ବରୁ ବୈଠକ କରିବାକୁ ଅନୁରୋଧ କରିଥିଲା ଓଡ଼ିଶା

ହେଲେ ଉତ୍ତର ଦେଲାନି ଛତିଶଗଡ଼, ବସିପାରିଲାନି ବୈଠକ

200

କନକ ବ୍ୟୁରୋ : ମହାନଦୀରେ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଛତିଶଗଡ଼ ସହ ସମନ୍ୱୟ ସେତେ ଭଲ ଭାବରେ ହୋଇପାରୁନାହିଁ । ଓଡ଼ିଶା ସରକାର ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ୱୟ ଚାହୁଁଥିଲେ ମଧ୍ୟ ଛତିଶଗଡ଼ ଶୁଣୁନଥିବା ଚର୍ଚ୍ଚା ହେଉଛି । ପ୍ରତ୍ୟେକ ମୌସୁମୀ ଋତୁ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ସମନ୍ୱୟ ବୈଠକ ବସିଥାଏ । ଗତଥର ମଧ୍ୟ ଏହି ବୈଠକ ପାଇଁ ଓଡ଼ିଶା ଅନୁରୋଧ କରିଥିଲା ଏବଂ ଭର୍ଚୁଆଲ ମାଧ୍ୟମରେ ବୈଠକ ହୋଇଥିଲା । କିନ୍ତୁ ନେଟୱର୍କ କାରଣରୁ ଅଧାରେ ବୈଠକ ସରିଯାଇଥିଲା ।

ଏଥର ବି ମୌସୁମୀ ଋତୁ ଆରମ୍ଭରୁ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଅନୁରୋଧ କରିଥିଲେ । କିନ୍ତୁ ଛତିଶଗଡ଼ କୌଣସି ଉତ୍ତର ଦେଲାନାହିଁ । ଫଳରେ ବୈଠକ ହୋଇପାରିଲା ନାହିଁ । ଏହା ପରେ ପରେ ଏହି ଲଘୁଚାପ ବର୍ଷା ହେଲା ଏବଂ କଲମା ବ୍ୟାରେଜରୁ ବହୁ ପରିମାଣରେ ଜଳ ନିଷ୍କାସନ କରାଗଲା । ପ୍ରାୟ ସାଢେ ୫ ଲକ୍ଷ ଘନଫୁଟ ଜଳ ନିଷ୍କାସନ କରାଯିବା କାରଣରୁ ହଠାତ୍ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଲା । ଏହା ପରେ ୨୮ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଗଲା । ଏ ସଂକ୍ରାନ୍ତରେ ଆମେ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଥିଲେ ଏଥର ବୈଠକ ହୋଇପାରିନାହିଁ ।