ଓଡ଼ିଶାରେ କମୁନି କରୋନା, ୧୫ ଦିନ ହେଲା ୩ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । 

175

କନକ ବ୍ୟୁରୋ: ଜୁନ ମାସ ପ୍ରଥମ ଦୁଇ ସପ୍ତାହ ଧରି ରାଜ୍ୟରେ ଦ୍ରୁତ ଗତିରେ କମୁଥିଲା କରୋନା ସଂକ୍ରମଣ । ହେଲେ ଜୁନ ୧୫ ପରେ ଏହି ଗତି ଧିମା ପଡ଼ିଯାଇଛି । ସଂକ୍ରମଣ ହାର ସାମାନ୍ୟ କମିଛି, କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ସେପରି ହ୍ରାସ ହେଉନାହିଁ । ଦୀର୍ଘ ୧୭ ଦିନ ହେଲା ଦିନକୁ ୩ ହଜାର ଉପରେ ନୂଆ ପଜିଟିଭ୍ ମାମଲା ଆସୁଛି । ଏହା ହିଁ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ କାହିଁକି ସଂକ୍ରମଣ କମୁନାହିଁ, ଏହାର ଅନୁଧ୍ୟାନ ପାଇଁ ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର, ଏହିସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଆସି ପରିସ୍ଥିତି ଅନୁଧ୍ୟାନ କରିବେ ।

ଜୁନ ୧୫ ୫୬,୮୦୭ ୩,୪୦୫ ୫.୯୯ %

ଜୁନ ୧୯ ୬୪,୧୧୨ ୩,୪୨୭ ୫.୩୪ %

ଜୁନ ୨୩ ୬୫,୮୪୫ ୩,୪୫୬ ୫.୨୪ %

ଜୁନ ୨୭ ୬୮,୩୩୫ ୩,୪୦୮ ୪.୯୮ %

ଜୁନ ୩୦ ୭୫,୬୪୯ ୩,୩୭୧ ୪.୪୫ %

ଜୁଲାଇ ୧ ୭୪,୦୦୦ ୩,୦୮୭ ୪.୧୭ %

ଜୁଲାଇ ୨ ୭୪,୨୨୫ ୩,୨୨୨ ୪.୩୪ %

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଏ. ଡାନ୍ଙ୍କ ନେତୃତ୍ୱରେ ଏକ ଟିମ୍ ଓଡ଼ିଶାରେ କରୋନା ସ୍ଥିତି ନେଇ ସମୀକ୍ଷା କରିବେ । କାହିଁକି ସଂକ୍ରମଣ କମୁନାହିଁ, କଣ ଚ୍ୟାଲେଂଜ ରହିଛି, ଏଥିପାଇଁ କି କି ପଦକ୍ଷେପ ନିଆଯିବା ଉଚିତ, ଏ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ବିଶେଷଜ୍ଞ ଦଳ ।

ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ । ତେବେ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବିଶେଷଜ୍ଞ ଡାକ୍ତରଙ୍କ ମତରେ ଆଗକୁ ସଂକ୍ରମଣ ହ୍ରାସ ପାଇବ ।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ଜୁଲାଇ ଅଧା ବେଳକୁ ସଂକ୍ରମଣ କମିଯିବ । ଏବେ ନୂଆ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଓଡ଼ିଶାରେ ଡେଲଟା ପ୍ଲସ ଭୂତାଣୁ ନେଇ ଚିନ୍ତିତ ହେବାର ବିଶେଷ କାରଣ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । କାରଣ ଦେବଗଡ଼ର ଜଣେ ଆନ୍ତ୍ରାନ୍ତଙ୍କୁ ଛାଡିଦେଲେ ଜେନମ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇନାହିଁ ।