କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି।
କେନ୍ଦ୍ରର ନୂଆ କୃଷିନୀତିକୁ ବିରୋଧ କରି ରାଉରକେଲାରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଗଠନ, ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ ସଙ୍ଗଠନର ନେତା ଓ କର୍ମୀ । ବିର୍ସା ମୁଣ୍ଡା ଛକରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ପିକେଟିଂ କରି ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ କରୁଛନ୍ତି । ଫଳରେ ରାଉରକେଲା ନୂଆ ବସଷ୍ଟାଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ ଅଟକି ରହିଛି । ଅନୁରୂପ ଭାବେ ବଣାଇ, କୋଇଡା, ରଜାମୁଣ୍ଡା, ପୁଟୁଗାଁ, ରକ୍ସିରେ ବନ୍ଦ ପାଳନ ପ୍ରଭାବ ଦେଖିବାକୁ ପଡିଛି । ରକ୍ସିରେ ଶ୍ରମିକ ଟ୍ରେନ ଅଟକ ରଖିବାରୁ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଛି ।
ସେପଟେ, ନବରଙ୍ଗପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ଅନ୍ୟ ରାଜନୈତିକ ଦଳ ବିଭିନ୍ନ ସଂଘ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି । ନବରଙ୍ଗପୁରର ଚାଉଁରିଆଗୁଡା ଛକ, କଂଗ୍ରେସ ଅଫିସ ସମ୍ମୁଖରେ ୨୬ ନଂବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଗମନାଗମନ ଠପ ହୋଇଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିଗୁଡିକ ଅଟକି ରହିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ଔଷଧ ଦୋକାମ ସହ ଜରୁରୀ କାଳୀନ ସେବା ଯୋଗାଉଥିବା ପ୍ରତିଷ୍ଠାନ ଗୁଡିକ ଖୋଲା ରହିଛି ।
ସେହିଭଳି ସୁବର୍ଣ୍ଣପୁରରେ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଜିଲ୍ଲା କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି । ପିକେଟିଂ କରି ନଗର କଂଗ୍ରେସ କର୍ମୀ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସୋନପୁରରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାଜପଥରେ ଗାଡିମଟର ଚଳାଚଳ ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିବା ବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/10-6.jpg)