ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ । ୪ ମାସରେ ଲୁଟି ନେଲେଣି କୋଟିଏ ଟଙ୍କା, ୪ ବର୍ଷରେ ୨୯୯୮ ମାମଲା ରୁଜୁ

191

କନକ ବ୍ୟୁରୋ : ହୁସିଆର। ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ। ଗୋଟିଏ ମିନିଟ୍‌ ମଧ୍ୟରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରି ଦେଉଛନ୍ତି। କାହାର କ୍ରେଡିଟ କାର୍ଡରୁ ଟଙ୍କା କଟି ଗଲାଣି ତ ଆଉ କାହାର ଗୁଗୁଲ ପେ’ ଆକାଉଣ୍ଟରୁ ଟଙ୍କା ଗାଏବ। ଏହିଭଳି ଭାବେ ଗତ ୪ ମାସ ମଧ୍ୟରେ ସାରା ରାଜ୍ୟରୁ ପାଖାପାଖି ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟି ସାରିଲେଣି ସାଇବର ଗ୍ୟାଙ୍ଗ୍। ଗତ ୪ ମାସ ମଧ୍ୟରେ ୧୫୪ ଜଣ ଏଭଳି ଲୁଟର ଶିକାର ହୋଇଛନ୍ତି। ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ବାହାରେ ବସିଥିବା ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ ପୁଲିସ। ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଯାହା ସୂଚନା ମିଳିଛି ସାଇବର ଅପରାଧୀମାନେ ବ୍ୟାଙ୍କ, ଏଟିଏମ କାର୍ଡ ଓ କ୍ରେଡିଟ ଠକେଇରେ ଅଧିକ ସଂପୃକ୍ତ ରହୁଛନ୍ତି। ହତ୍ୟା, ଅପହରଣ ଓ ଲୁଟ ବଦଳରେ ଏବେ ସାଇବର ଅପରାଧ ତାର ସ୍ଥାନ ନେଲାଣି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ, ସମ୍ବଲପୁର, କୋରାପୁଟ ଓ ରାଉରକେଲାରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଏହି ଅପରାଧୀମାନେ ସେମାନଙ୍କ ଜାଲରେ ପକାଇ ଲୁଟି ସାରିଲେଣି। କାହାଠୁ ୨୫ ହଜାର ତ କାହାଠାରୁ ୭୫ ହଜାର, କାହାଠାରୁ ୨ ଲକ୍ଷ ଟଙ୍କା ଲୁଟିଛନ୍ତି। ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ୁଛି। ଅନେକ ଅଭିଯୋଗକାରୀଙ୍କୁ ଜିଲ୍ଲା ପୁଲିସ କହୁଛି କଟକ ଯାଇ ସାଇବର ଥାନାରେ ଅଭିଯୋଗ କରିବାକୁ। କିନ୍ତୁ ଏହା କେତେକ କ୍ଷେତ୍ରରେ ଅଭିଯୋଗକାରୀଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ।

image courtesy – www.independent.co.uk

କେବଳ ଗତ ୪ ମାସ କାହିଁକି ସାଇବର ଅପରାଧୀମାନେ, ବିଗତ ୪/୫ ବର୍ଷ ହେବ ରାଜ୍ୟରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋରୁ ଯେଉଁ ତଥ୍ୟ ମିଳିଛି ତାହା ହେଉଛି ବର୍ଷକୁ ପାଖାପାଖି ୭୫୦ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହେଉଛି। ସାରା ରାଜ୍ୟରେ ୨୦୧୯ ମସିହାରେ ୮୪୩ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୧୮ରେ ୭୩୮, ୨୦୧୭ରେ ୭୧୯ଟି ମାମଲା ରୁଜୁ ହୋଇଥିଲା।

ସେହିପରି ଗତ ୪ ବର୍ଷ ମଧ୍ୟରେ କେବଳ ରାଜଧାନୀରେ ୨୯୮ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଥିଲା। କିନ୍ତୁ ସେଥି ମଧ୍ୟରୁ କେବଳ ୫୧ ଜଣଙ୍କୁ ଗିରଫ କରି ପାରିଥିଲା ପୁଲିସ। ବଳକା ୨୪୭ ମାମଲାରେ ପୁଲିସ ହାତ ଖାଲି। ଯେଉଁ ୫୧ ଜଣଙ୍କୁ ଗିରଫ କରାଯାଇଥିଲା ସେମାନଙ୍କ ନିକଟରୁ ଟଙ୍କାଟିଏ ମଧ୍ୟ ଜବତ କରି ପାରି ନ ଥିଲା ପୁଲିସ। ଏହା ତଳକୁ କଟକ, ରାଉରକେଲା ଓ ବାଲେଶ୍ୱର ଜିଲ୍ଲାରେ ଏଭଳି ଠକେଇ ଅଭିଯୋଗ ଅଧିକ ହେଉଛି।

ସାଇବର ଅପରାଧ ରୋକିବା ଏବଂ ତଦନ୍ତ ଲାଗି ପୁଲିସ ଓ ବ୍ୟବସ୍ଥାକୁ ନବୀକରଣ( ଅପଗ୍ରେଡ) କରାଯାଉଛି। ଆଧୁନିକ ବୈଷୟିକ କୌଶଳ ବ୍ୟବହାର ସହିତ ଇ- ଅଫିସ ତଥା ଅନ-ଲାଇନ ବ୍ୟବସ୍ଥା କରାଯାଉଛି। ପୁଲିସ ମୁଖ୍ୟାଳୟ, କମିସନରେଟ ପୁଲିସଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ସବୁ କାମ ଅନଲାଇନରେ ଆରମ୍ଭ କରାଗଲାଣି। ପୁଲିସ ତଦନ୍ତ ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଛି। ସାଇବର ଅପରାଧର ତଦନ୍ତ ପାଇଁ ଦକ୍ଷ ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଇ ପ୍ରତ୍ୟେକ ଥାନାରେ ନିଯୁକ୍ତି ଦିଆଯାଇଛି। କିନ୍ତୁ ସାଇବର ଅପରାଧ କ୍ଷେତ୍ରରେ ପୁଲିସକୁ ସେତେଟା ସଫଳତା ମିଳିନାହିଁ। ଯାହା ଏବେ ଚିନ୍ତାର ବିଷୟ।

ତେବେ ଏ ସମ୍ପର୍କରେ କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, କଟକ ବ୍ୟତୀତ ରାଜ୍ୟର ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ତିନିଟି ନୂଆ ସାଇବର ଥାନା ଖୋଲା ଯାଇଛି। ଖୁବ୍ ଶୀଘ୍ର ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଆଉ ୩ଟି ସାଇବର ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ପ୍ରକାରର ସାଇବର ଅପରାଧର ସଫଳ ତଦନ୍ତ ଓ ଉପଯୁକ୍ତ ପ୍ରମାଣ ସଂଗ୍ରହ କରିବା ପାଇଁ ସାଇବର କ୍ରାଇମ ତଦନ୍ତ ନାମରେ ଏକ ‘ସାରାଂଶ ତଥ୍ୟ’ ରାଜ୍ୟର ସମସ୍ତ ଥାନାକୁ ପ୍ରଦାନ କରାଯାଇଛି। ଏହା ଛଡ଼ା ସାଇବର ଅପରାଧ ତଦନ୍ତକୁ ଅଧିକ ସଫଳ ଓ ସହଜ କରିବାକୁ ଭୁବନେଶ୍ୱରରେ ୨୦୧୭ ମସିହାରେ ରାଜ୍ୟର ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ପ୍ରତିଷ୍ଠା କରାଯାଇଛି। ତେବେ ରାଜ୍ୟରେ ସବୁ ଥାନାରେ ତାଲିମପ୍ରାପ୍ତ ଅଫିସର ନାହାନ୍ତି। ଯେଉଁଠି ବି ଅଛନ୍ତି, ସମୟ ଅଭାବ କାରଣରୁ ସାଇବର ଅପରାଧର ତଦନ୍ତ ଠିକ୍‌ ସମୟରେ କରିବା ସମ୍ଭବପର ହେଉ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।