କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିରେ ସ୍କୁଲ ଫି’ ଛାଡ଼ ବା ହ୍ରାସ ପ୍ରସଂଗ ନୂଆ ମୋଡ଼ ନେଇଛି। ଘରୋଇ ସ୍କୁଲରେ ଛାତ୍ରଛାତ୍ରୀ କେତେ ଫି’ ଦେବେ ତାହା ନିର୍ଦ୍ଧାରଣ କରିବା ବ୍ୟବସ୍ଥା ନାହିଁ ବୋଲି ସରକାର ସତ୍ୟପାଠ ମାଧ୍ୟମରେ ପୂର୍ବରୁ କହିଥିବାବେଳେ ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଆଜି ସତ୍ୟପାଠ ଦାଖଲ କରି ଏହି ପ୍ରସଂଗରେ ସରକାରଙ୍କ କ୍ଷମତା ରହିଛି ବୋଲି ଦର୍ଶାଇଛନ୍ତି। ୧୯୯୬ର ଗେଜେଟ ବିଜ୍ଞପ୍ତି ଅନୁସାରେ ସରକାରଙ୍କ କ୍ଷମତା ରହିଥିବା କହିଛନ୍ତି।
ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୯୯୬ ସେପ୍ଟେମ୍ବର ୨୩ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେତେକ ପ୍ରସ୍ତାବ ଗ୍ରହଣ କରି ନିୟମାବଳୀ ଜାରି କରିଥିଲା। ଏ ନେଇ ଗେଜେଟ ନୋଟିଫିକେସନ୍ ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ନିୟମାବଳୀ ଉଲ୍ଲଂଘନ ଯଦି ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ନୋ-ଅବଜେକ୍ସନ୍ ସାର୍ଟିଫିକେଟ୍ (ଏନଓସି) ବା ସ୍ବୀକୃତି ପ୍ରତ୍ୟାହୃତ ହେବ। ଗଣଶିକ୍ଷା ବିଭାଗ ଧାର୍ଯ୍ୟ କରିଥିବା ନିୟମ ଅନୁସାରେ ସ୍କୁଲ ଗୁଡିକ ଫି ନେବେ। କ୍ୟାପିଟେସନ୍ ଫି ବା ଡୋନେସନ୍ ନାମଲେଖା ପାଇଁ ବା ଅନ୍ୟ କାର୍ଯ୍ୟ ପାଇଁ ଅଧିକ ଫି’ ସ୍କୁଲ ନେଇ ପାରିବ ନାହିଁ। ଏଥିରେ ଅବହେଳା ହେଲେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବେ ଓ ସ୍କୁଲର ଏନ୍ଓସି ପ୍ରତ୍ୟାହାର କରାଯିବ। ଏହି ବିଜ୍ଞପ୍ତିରେ ରହିଥିବା ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନ୍ଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ମାମଲାରେ ସରକାର ହାଇକୋର୍ଟରେ ରଖିଥିବା ପକ୍ଷ ଏହି ବିଜ୍ଞପ୍ତିର ଉଲ୍ଲଂଘନ କରୁଛି। ଘରୋଇ ସ୍କୁଲଗୁଡିକର ଫି’ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବାବେଳେ ଏହି ବିଜ୍ଞପ୍ତିରୁ କିନ୍ତୁ ସରକାରଙ୍କ କ୍ଷମତା ରହିଛି ବୋଲି ସ୍ପଷ୍ଟ ହୋଇଛି।
୧୯୯୬ ବିଜ୍ଞପ୍ତି ଆଧାରରେ ସରକାର ନିଜ ଦାୟିତ୍ବ ନିର୍ବାହ କରିବା ଆବଶ୍ୟକ। କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତିରେ ଅଭିଭାବକମାନେ ଆର୍ଥିକ ସମସ୍ୟା ଭିତରେ ଥିବାବେଳେ ସରକାର ୧୯୯୬ର ବିଜ୍ଞପ୍ତି ଆଧାରରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ସ୍କୁଲ ଫି ଛାଡ଼ ପ୍ରସଂଗରେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍ଓୟୁ କାର୍ଯ୍ୟକାରୀ ସପକ୍ଷରେ ରାଜ୍ୟ ସରକାର ମତ ରଖିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ସତ୍ୟପାଠ ଉପରେ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବେ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ହୋଇଥିବା ସ୍ଥିତିରେ ସ୍କୁଲ ଫି ଛାଡ଼ ବା ହ୍ରାସ ପ୍ରସଂଗରେ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗଦେଇ କେତେକ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ଏମଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା।
ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବାବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍, ସ୍କୁଲ ଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇ ସ୍କୁଲ ପିଟିସନ୍ ଦାଖଲ କରିଥିଲେ। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/Orissa-High-Court-1.jpg)