କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଯୁବ, ଛାତ୍ର ବିଜେପି ଆଡକୁ ବେଶି ଢଳୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ କିଛି ସର୍ଭରେ ଏହାର ଆଭାସ ମିଳିବା ପରେ ବିଜେଡି ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଥିଲା। ହେଲେ ବିଜେଡି ଶେଷ ମୁହୂର୍ତ୍ତରେ ଏହି ଭୋଟ ବ୍ୟାଙ୍କକୁ ବିଭାଜିତ କରିବାରେ ସକ୍ଷମ ହୋଇଥିଲା ଓ ମାତ୍ ଦେଇଥିଲା ମୋଦୀଙ୍କୁ। ଏଥର କିନ୍ତୁ ପୂରା ଯୁବ, ଛାତ୍ର ଭୋଟରଙ୍କୁ ଟାଣିବା ଲାଗି ବିଜେଡି ପକ୍ଷରୁ ଜବରଦସ୍ତ କସରତ ଆରମ୍ଭ ହୋଇଯାଇଛି। ଖେଳ ପ୍ରତି ଯୁବ ଓ ଛାତ୍ରଙ୍କର ସଂପୃକ୍ତି ଅଧିକ ଥିବା କାରଣରୁ ଏବେ ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେଇଛି ଖେଳ ରାଜନୀତିରେ ପଶିବ। ଅର୍ଥାତ୍, ପ୍ରତି ଜିଲ୍ଲାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରିବ, ଫୁଟବଲ୍ ବି। କେବଳ ସେତିକି ନୁହେଁ, ଅନ୍ୟ ଅଞ୍ଚଳମାନଙ୍କରେ ଲୋକପ୍ରିୟ ଖେଳକୁ ନେଇ ସେ ଅଞ୍ଚଳର ଯୁବ ଛାତ୍ରଙ୍କୁ ନିଜ ସହିତ ଯୋଡିବ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜେ ପ୍ରଭାରୀ ଥିବା କାରଣରୁ ମୟୂରଭଞ୍ଜରୁ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହାର ପ୍ରଭାବକୁ ଦେଖି ପର୍ଯ୍ୟାୟକ୍ରମେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଏବଂ କ୍ରୀଡ଼ା ମନ୍ତ୍ରୀ ଆଗକୁ ସବୁ ଜିଲ୍ଲାରେ ଟୁର୍ଣ୍ଣାମେଣ୍ଟ କରିବେ, ପରେ ଗାଁ ପର୍ଯ୍ୟନ୍ତ ଏହା ଯିବ। ଦ୍ବିତୀୟ ପର୍ଯ୍ୟାୟରେ ମାଲକାନଗିରି ଓ କୋରାପୁଟରେ କରାଯିବାର ଯୋଜନା ରହିଛି। ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ପ୍ରଥମେ ପଞ୍ଚାୟତ, ପରେ ବ୍ଲକ ଓ ଶେଷରେ ଜିଲ୍ଲାସ୍ତରରେ ଏହି ଖେଳ ହେବ। ଏହାଦ୍ବାରା ପୂରା ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ଏକାଠି କରାଯିବ। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଆଜି ଏହାର ରୂପରେଖ ସ୍ପଷ୍ଟ ହେବ ଓ ସନ୍ଧ୍ୟାରେ ଲୋଗୋ ଉନ୍ମୋଚନ ହେବ।
ବିଜେଡି ପକ୍ଷରୁ କୁହାଯାଇଛି, ‘ମୟୂରଭଞ୍ଜ ପ୍ରିମିୟର ଲିଗ୍’ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହେବ। ଜିଲ୍ଲାରେ ୩୨ ଲେଖାଏଁ କ୍ରିକେଟ୍ ଓ ଫୁଟବଲ୍ ଟିମ ଚୟନ କରାଯିବ। ଗାଁ ଓ ପଞ୍ଚାୟତସ୍ତରରୁ ଖେଳାଳି ବଛାଯିବ। ବାରିପଦା ଷ୍ଟାଡିୟମ୍ରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରାଯିବାର ନିଷ୍ପତ୍ତି ହୋଇଛି। ରାଇରଙ୍ଗପୁରରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ କରାଯିବ। ବାରିପଦାରେ ଶନିବାର ଏହି ଲିଗ୍ ଲୋଗୋ ଉନ୍ମୋଚନ ବେଳଏ ଖୋଦ୍ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିପାରନ୍ତି। ତାଙ୍କ ବ୍ୟତୀତ ରାଜ୍ୟ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ଛାତ୍ର ଜନତା ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଜିଲ୍ଲାର ପ୍ରତି ବ୍ଲକରୁ ୮ ଲେଖାଏଁ କ୍ରିକେଟ୍ ଓ ଫୁଟବଲ୍ ଟିମ୍ ଚୟନ କରାଯିବ। ବାରିପଦା ଓ ରାଇରଙ୍ଗପୁର ପୌରପରିଷଦରୁ ୧୬ଟି ଲେଖାଏଁ କ୍ରିକେଟ୍ ଓ ଫୁଟବଲ ଟିମ୍ ବଛାଯିବ। ସେହିପରି ଉଦଳା ଓ କରଞ୍ଜିଆ ଏନଏସିରୁ ୮ ଲେଖାଏଁ ଟିମ୍ ଚୟନ କରାଯିବ।
ଚୟନ ପ୍ରକ୍ରିୟା ନିମନ୍ତେ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କ୍ରୀଡ଼ାବିତମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/7-23.jpg)