ଅଙ୍ଗନବାଡ଼ି ପିଲାଙ୍କୁ ଏବେ ଦିଆଯିବ ଚୁନା ମାଛ: ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ କିଶୋରୀମାନଙ୍କୁ ମିଳିବ ସୁବିଧା; ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜର ୫୦ଟି ଅଙ୍ଗନବାଡ଼ିରେ କରାଯିବ ଆରମ୍ଭ

Advertisment
ଅଙ୍ଗନବାଡ଼ି ପିଲାଙ୍କୁ ଏବେ ଦିଆଯିବ ଚୁନା ମାଛ: ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ କିଶୋରୀମାନଙ୍କୁ ମିଳିବ ସୁବିଧା; ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜର ୫୦ଟି ଅଙ୍ଗନବାଡ଼ିରେ କରାଯିବ ଆରମ୍ଭ

କନକ ବ୍ୟୁରୋ: ଏଣିକି ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୁନା ମାଛକୁ ସାମିଲ କରାଯିବ। ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ କିଶୋରୀମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ। ଏହି ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରସାରିତ କରାଯିବ। ଆଜି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ୍ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ଓ ୱାର୍ଲଡ ଫିସ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣା ପତ୍ର ଅନୁଯାୟୀ ୱାର୍ଲଡ ଫିସ୍ ସଂସ୍ଥା ୫ ବର୍ଷ ପର୍ୟ୍ୟନ୍ତ ବୈଷୟକି ସହାୟତା ଯୋଗାଇଦେବ।

ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିସନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଛ ପ୍ରକ୍ରିୟାକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଏହାସହିତ ଅଧିକ ମାଛ ଉତ୍ପାଦନ ହେଉଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆଧୁନିକ ସୌର ଶକ୍ତି ଚାଳିତ ବୈଷୟିକ ଜ୍ଞାନକୌଶଳରେ ମାଛ ଶୁଖାଇବା ଓ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)ଙ୍କ ମାନ ଅନୁସାରେ ମାଛଗୁଣ୍ଡ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁଗର୍ଗ କହିଥଲେ, ମାଛରେ ପ୍ରଚୁର ପରିମାଣର ଲୌହ, ଜିଙ୍କ୍, କ୍ୟାଲସିୟମ୍, ଭିଟାମିନ୍ (ଏ, ବି, ଡି, ଇ) ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ମହଜୁଦ ରହିଛି। ପୁଷ୍ଟିସାଧନ କାର୍ୟ୍ୟକ୍ରମରେ ଏହାକୁ ସାମିଲ କରିବା ଦ୍ବାରା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଅଣାଯାଇପାରିବ। ଏହି ଅବସରରେ ଟିକି ମାଉସୀଙ୍କ ଦ୍ବାରା ଚୁନା ମାଛ ଖାଇବାର ଉପାଦେୟତା ସମ୍ପର୍କରେ ଏକ ଆନିମେସନ ଭିଡିଓ ଓ ଶୁଖିଲା ଚୁନା ମାଛକୁ ଏସ୍ଏନ୍ପିରେ ସାମିଲ କରିବା ସମ୍ପର୍କିତ ଏସ୍ଓପି ଉନ୍ମୋଚିତ କରାଯାଇଥିଲା।

ମିସନ ଶକ୍ତି କମିସନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଥିଲେ, ମିସନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ସମନ୍ବୟ ରଖି ଚୁନା ମାଛ ଉତ୍ପାଦନ ଓ ଶୁଖିଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ଏବେ ଏହି କାର୍ୟ୍ୟକ୍ରମ ଏସ୍ଏଚ୍ଜିମାନଙ୍କ ପାଇଁ ଅଧିକ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବାରେ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ଓ୍ବାର୍ଲ୍ଡ ଫିସ୍ର ମହାନିର୍ଦ୍ଦେଶକ ଡ. ଗରେଥ୍ ଜନଷ୍ଟୋନ୍ ସଂସ୍ଥାର ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହିତ ତାଙ୍କ ସଂସ୍ଥାର ବିଶେଷଜ୍ଞମାନେ ଆସନ୍ତା ୬ ମାସ ମଧ୍ୟରେ ଏସ୍ଏଚ୍ଜିମାନଙ୍କୁ ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ପରିବେଶରେ ସୌରଚାଳିତ ଯନ୍ତ୍ର ସାହାଯ୍ୟରେ କିପରି ମାଛ ଶୁଖାଯାଇପାରିବ ସେ ସମ୍ପର୍କିତ ଜ୍ଞାନ କୌଶଳ ଯୋଗାଇଦେବେ ବୋଲି କହିଥିଲେ। ଖୁବଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ୟ୍ୟକ୍ରମରେ ମାଛକୁ ସାମିଲ କରିବା ସମ୍ପର୍କରେ ବୈଷୟିକ-ଅର୍ଥନୈତିକ ବ୍ୟବହାରିକ ଜ୍ଞାନ ସଂସ୍ଥା ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe