ଭିକାରୀଙ୍କ ସରକାରୀ ତାଲିକା…ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଓଡିଶାରେ ଅଛନ୍ତି ମୋଟ ୫ ହଜାର ୯୫୦ ଭିକାରୀ; କେବଳ କଟକରେ ରହିଛନ୍ତି ହଜାରେ ୬୦ ଜଣ

କଟକ ସହରରେ ରାଜ୍ୟରେ ସବୁଠୁ ଅଧିକ ଭିକାରୀ !

292

କନକ ବ୍ୟୁରୋ: କଟକ ସହରରେ ଅଛନ୍ତି ରାଜ୍ୟର ସବୁଠାରୁ ଅଧିକ ଭିକାରୀ । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଓଡିଶାରେ ମୋଟ ୫ ହଜାର ୯୫୦ ଭିକାରୀ ଥିବା ବେଳେ କେବଳ କଟକରେ ହଜାରେ ୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରୀ ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି । ସରକାର ପୁର୍ନବାସ ପାଇଁ ସହାୟ ନାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିବା ଆଜି ବିଧାନସଭା ଗୃହରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ ରହିଛି ବୋଲି ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ଚୌଦ୍ୱାରର ବିଧାୟକ ସୌଭିକ୍ ବିଶ୍ୱାଳ । ତେବେ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାୟକଙ୍କ ପ୍ରଶ୍ନ ରହିଥିଲା କି, ରାଜ୍ୟର କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଭିକାରୀ ଅଛନ୍ତି ଏବଂ ଭିକାରୀମାନଙ୍କୁ ବିକଳ୍ପ ବୃତି ଯୋଗାଇ ସେମାନଙ୍କୁ ଭିକ୍ଷାବୃତିରୁ ନିବୃତ କରିବାକୁ କୌଣସି ବ୍ୟବସ୍ଥା କରିହେବ କି ?

ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଅଦ୍ୟାବଧି ୫୯୫୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ କଟକରେ ରହିଛନ୍ତି ସର୍ବାଧିକ ଭିକାରୀ । ତେବେ ଭିକାରୀମାନଙ୍କ ପୁନର୍ବାସ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ‘ସହାୟ’ ନାଁରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚଳନ କରୁଛନ୍ତି । ଚଳିତ ବର୍ଷ ପୁରୀ ଜିଲ୍ଲାରେ ଭିକାରୀମାନଙ୍କ ପାଇଁ ୫ଟି ପୁନର୍ବାସ ଗୃହର ସ୍ଥାପନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱରରେ ବି ପୁନର୍ବାସ ଗୃହ ସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଉଛି ।


ସେପଟେ, ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଏହାକୁ ନେଇ ବାରମ୍ୱାର ଗୃହ ମୁଲତବୀ । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆଜି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ କାର୍ଯ୍ୟ । ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଯାହା ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ସାଢେ ୧୧ ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ସଦସ୍ୟ ଜାରି ରଖିଥିଲେ ହଟ୍ଟଗୋଳ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।