ନବରଙ୍ଗପୁରରେ ବାପା ମୃତ୍ୟୁର ପ୍ରତିଶୋଧ ହତ୍ୟାରେ ନେଲା ନାବାଳକ ପୁଅ। ୨ ଜଣଙ୍କୁ ଗିରଫ କଲା ପୁଲିସ

471

କନକ ବ୍ୟୁରୋ: ବାପାଙ୍କ ମୃତ୍ୟର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଛି ନାବାଳକ ପୁଅ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାସପୁର ଗାଁର ଏପରି ଏକ ହତ୍ୟାକାଣ୍ଡ ଘଟିଛି । ଗତ ୨ ତାରିଖ ଦିନ ରାସପୁର ଗାଁର ଏକ ପୋଖରୀରୁ କଲଚୁଆ ଗାଁର ନାଥା ପାହାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାର ତଦନ୍ତ କରି ଏକ ସାଙ୍ଘାତିକ ସତ ସାମ୍ନାକୁ ଆଣିଛି । ବର୍ଷେ ପୂର୍ବେ ବାପାଙ୍କୁ ଗଛ ଉପରୁ ଠେଲି ମାରି ଦେଇଥିବା ଅଭିଯୋଗରେ ନାଥା ପାହାଡ଼ିଆଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛି ଜଣେ ୧୭ ବର୍ଷିୟ ନାବାଳକ । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ନାବାଳକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି କୁନ୍ଦେଇ ପୁଲିସ । ଗିରଫ ଅଭିଯୁକ୍ତ ନାବାଳକ ଜଣକ ଖୁଡ଼ୁକୁ ପଂଚାୟତର କଲଚୁଆ ଗାଁର ଲଖୁରାମ ପାହାଡ଼ିଆଙ୍କ ପୁଅ ୧୭ ବର୍ଷର୍ୟ ଅମରଚାନ୍ଦ ପାହାଡ଼ିଆ ଓ ତା’ସହଯୋଗୀ ଲୋଧନ ପାହାଡ଼ିଆ । ତେବେ ପୁଲିସର କହିବା ଅନୁସାରେ, ଗତବର୍ଷ କଲଚୁଆ ଗାଁରେ ତେନ୍ତୁଳି ତୋଳିବାକୁ ଗଛରେ ଚିଢିଥିଲେ ନାଥା ପାହାଡ଼ିଆ, ସହଦେବ ପାହାଡ଼ିଆ, ନଥେଲ୍ ପାହାଡ଼ିଆ ଓ ଲଖୁରାମ ପାହାଡ଼ିଆ । ସେତେବେଳେ ନାଥା ପାହାଡିଆ, ଲଖୁରାମ ପାହାଡିଆଙ୍କୁ ଗଛରୁ ଠେଲି ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ଗାଁରେ ବୈଠକରେ ଏହାର ସାମଧାନ ହୋଇଥିଲା । ହେଲେ ଏଥିରେ ସନ୍ତୁଷ୍ଟ ନଥିଲେ ଲଖୁରାମଙ୍କ ପୁଅ ଅମରଚାନ୍ଦ ପାହାଡ଼ିଆ । ତା ମନରେ ପ୍ରତିଶୋଧର ନିଆଁ ଜଳୁଥିଲା । ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଥା ପାହାଡ଼ିଆଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା ନାବାଳକ ପୁଅ । ଗତ ବୁଧବାର ଦିନ ନାଥା ପାହାଡ଼ିଆ ଲୋଧନ ପାହାଡ଼ିଆଙ୍କ ଘର ଅଗଣାରେ ଶୋଇ ଥିବା ବେଳେ ଅମରଚାନ୍ଦ ଏକ ଟାଙ୍ଗିଆରେ ତାଙ୍କ ଛାତି, ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ନାଥାଙ୍କର ମୃତ୍ୟୁ ଘଟିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅମରଚାନ୍ଦ ଓ ତା ସାଙ୍ଗ ଲୋଧନ ପାହାଡ଼ିଆ ଦୁହେଁ ମିଶି ନାଥା ପାହାଡ଼ିଆଙ୍କ ହାତଗୋଡ଼ ବାନ୍ଧି ରାସପୁର ଗାଁକୁ ନେଇ ପୋଖରୀରେ ଫୋପାଡ଼ି ଦେଇଥିଲେ । ଏବଂ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟାଙ୍ଗିଆକୁ କାଣ୍ଡେତରା ଗାଁର ଏକ କୂଅକୁ ଫୋପାଡ଼ି ଦେଇଥିଲେ । ତେବେ କୁନ୍ଦେଇ ପୁଲିସ ନାଥାଙ୍କ ଶବ ଉଦ୍ଧାର କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ସେହି ତଦନ୍ତ ବେଳେ ହତ୍ୟାକାଣ୍ଡର ସତ ସାମ୍ନାକୁ ଆସିଛି । ବାପା ହତ୍ୟାର ପ୍ରତିଶୋଧ ନେବା ପାଇଁ ନାବାଳକ ପୁଅ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଜଣାପଡିଛି ।