ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ ! ହରିଦାସପୁର-ଗଡମଧୁପୁର ଷ୍ଟେସନ ମଧ୍ୟରେ ରେଳଲାଇନ୍ ପାର ବେଳେ ଜେସିବିକୁ ଧକ୍କା ଦେଲା ଟ୍ରେନ ।

48

କନକ ବ୍ୟୁରୋ : ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଛି ଦ୍ରୁତଗାମୀ ଟ୍ରେନ । କେରଳ ଏର୍ନାକୁଲମରୁ ହାୱଡା ଯାଉଥିବା ଅନ୍ତ୍ୟୋଦୟ ଏକ୍ସପ୍ରେସ ହରିଦାସପୁର-ଗଡମଧୁପୁର ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେଲ ସରିଯିବାରୁ ଟ୍ରେନ ଲାଇନ ମଧ୍ୟରେ ଅଟକି ରହିଯାଇଥିବା ଜେସିବିକୁ ଧକ୍କା ଦେଇଥିଲା ଟ୍ରେନ । ଜେସିବି ଚୁରମାର ହୋଇଯାଇଥିବା ବେଳେ ଟ୍ରେନ ଇଞ୍ଜିନ ସାମାନ୍ୟ ନଷ୍ଟ ହୋଇଥିଲା । କିନ୍ତୁ ବର୍ତିଯାଇଥିଲେ ଯାତ୍ରୀ ।

ହରିଦାସପୁର-ଗଡମଧୁପୁର ଗେଟ ନମ୍ବର ୧୫୪ରେ ଜେସିବିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଜେସିବିରୁ ତେଲ ସରିଯାଇଥିଲା । ଆଉ ସେପଟୁ ମାଡି ଆସୁଥିଲା ଅନ୍ତ୍ୟୋଦୟ ଏକ୍ସପ୍ରେସ । ଡ୍ରାଇଭର ଯେତେ ଚେଷ୍ଟା କରୁଥାନ୍ତି ଜେସିବିକୁ ଷ୍ଟାର୍ଟ କରିବା ପାଇଁ ଜେସିବି କିନ୍ତୁ ଷ୍ଟାର୍ଟ ହେଉନଥାଏ । ସେପଟେ କିଛି ନଦେଖବା ପରି ଅନ୍ତ୍ୟୋଦୟ ଏକ୍ସପ୍ରେସ ଟ୍ରେନ ରାକ୍ଷାସ ପରି ମାଡି ଆସୁଥାଏ । ଏହି ସମୟରେ ଆଉ କିଛି ଉପାୟ ନପାଇ ଜେସିବିରୁ ଡେଇଁ ପଡିଥିଲେ ଡ୍ରାଇଭର । ଆଉ ମଝି ଟ୍ରାକରୁ ଦଉଡି ପଳାଇଥିଲେ । ଯାହା ଜୀବନ ବଞ୍ଚାଇବା ପାଇଁ ବହୁତ ଜରୁରୀ  ଥିଲା । ଆଉ ଏହା ପରେ ତୀବ୍ର ବେଗରେ ମାଡି ଆସି ଅନ୍ତ୍ୟୋଦୟ ଏକ୍ସପ୍ରେସ ଜେସିବିକୁ ଧକ୍କା ଦେଇଥିିଲା । ଟ୍ରେନ ଧକ୍କାରେ ଜେସିବିିଟି ଚୁରମାର ହୋଇଯାଇଥିଲା ।

ଯାଜପୁରର ହରିଦାସପୁର-ଗଡମଧୁପୁର ଷ୍ଟେସନ ମଧ୍ୟରେ ଘଟିଥିଲା ଏହି ଦୁର୍ଘଟଣା । ସୌଭାଗ୍ୟ ବସତଃ ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନାହିଁ । ଦୁର୍ଘଟଣାରେ ଟ୍ରେନର ଇଂଜିନର କିଛି ଅଂଶ ନଷ୍ଟ ହୋଇଯାଇଥିଲା । ଘଟଣାସ୍ଥଳକୁ ନୂଆ ଇଂଜିନ ଆସିବା ସହ ଓଭର ହେଡ ଲାଇନ୍ ମରାମତି କରାଯାଇଛି ।  ଦୀର୍ଘ ୪ ଘଣ୍ଟା ପରେ ଟ୍ରେନ ହାୱଡା ଅଭିମୁଖେ ଯାତ୍ରା କରିଛି । ସେପଟେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ଗେଟରେ ନିୟୋଜିତ ଥିବା ଗେଟ କିପର ଯଶୋବନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ଖୋର୍ଦ୍ଧା ଡିଆରଏମ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।