କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମିଛି। ଜାତୀୟ ରାଜପଥରେ ଯାନବାହନ ଚଳାଚଳ କିଛି ମାତ୍ରାରେ ସ୍ୱଭାବିକ ହୋଇଛି। ଆଜି ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ମାଟି ଅତଡା ଖସିବା ସହ ରାସ୍ତାଘାଟ ଧୋଇଯାଇଛି । ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷର ପରିମାଣ କମିଛି କିନ୍ତୁ ଦୁର୍ଦ୍ଦଶା କମିନି । କେଉଁଠି ପାହାଡରୁ ମାଡି ଅତଡା ଖସିଛି, ତ ଆଉ କେଉଁଠି ରାସ୍ତା ଧୋଇ ଯାଇଛି । ବାୟାପଡା ଘାଟିରେ ମାଡି ଅତଡା ଖସିଛି। ସେରପାଲି ଠାରେ ଆପ୍ରୋଚ ରୋଡ ଧୋଇଯାଇଛି। ଆନ୍ଧ୍ର କାଲେରୁ ୩୨୬ ନମ୍ୱର ଜାତୀୟ ରଜପଥ ଭସାଇ ନେଇଛି ବନ୍ୟା ପାଣି। ତେବେ ପାଙ୍ଗାମ ଓ ପୋଟେରୁ ପୋଲର ମରାମତି ପରେ ଯାତାୟାତ ସ୍ୱଭାବିକ ହୋଇଛି। ବର୍ଷା ଯୋଗୁଁ ଜଳବନ୍ଦି ହୋଇ ରହିଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟର ଲଗାଇ ଜଳ ନିଷ୍କାସନ କରୁଛି ପୌର କର୍ମଚାରୀ । ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ର ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ମୋଟ ୧୨୧ଟି ପରିବାରଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ମାଲକାନଗିରି ପୌରାଂଚଳର ହାଟପଦା ସାହିରେ ବର୍ଷା ପାଣି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାକାର ଶତାଧିକ ପରିବାରଙ୍କୁ ଆହାର କେନ୍ଦ୍ରରୁ ରନ୍ଧା ଖାଦ୍ୟ ଯୋଗେଇବା ସହ ସହରାଂଚଳ ଆଶ୍ରୟ ସ୍ଥଳିରେ ରଖା ଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଆହୁରି ଦୁଇ ଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପ୍ରଶାସନ ପକ୍ଷରୁ ପଲିଥିନ, ସୁଖିଲା ଖାଦ୍ୟ, ଔଷଧ ଆଦି ମହଜୁଦ ରଖାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ମୁତୟନ କରାଯାଇଛି।