ମାଲକାନଗିରିରେ କାଳବୈଶାଖୀ ଉଜାଡି ଦେଲା ଘରଦ୍ୱାର, ଅକାଳରେ ଚାଲିଗଲା ଜୀବନ

151

କନକ ବ୍ୟୁରୋ: ଘୋ ଘୋ ଶବ୍ଦ, ବର୍ଷା ପବନ ସାଙ୍ଗକୁ ଘଡଘଡି । ପବନର ବେଗ ଏତେ ଜୋର ଥିଲା ଯେ କେଉଁଠି ବଡ ବଡ ଗଛର ଡାଳ ମାଟି ଛୁଇଁଯାଉଛି ତ ଆଉ କେଉଁଠି ନିର୍ମାଣଧୀନ ପାଚେରୀ ପଡି ନଷ୍ଟ ହୋଇଯାଇଛି । ମାତ୍ର ୧୦ ମିନିଟ ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ରଚିବା ପରେ ଏ ଭଳି ସ୍ଥିତି । କାଳବୈଶାଖୀ ବେଳେ ଖୁବ ଜୋରରେ ପବନ ବୋହିବାରୁ କେଇ ମିନିଟରେ ସବୁ କିଛି ଓଲଟପାଲଟ କରି ଦେଇଛି ।

ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣାଧିନ ଏୟାରଷ୍ଟ୍ରିପ୍ କାନ୍ଥ ଭୁଷୁଡି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ସମେତ ଦୁଇ ଜଣ ପ୍ରାଣ ହରାଇ ଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମାତ୍ର ୧୦ ମିନିଟ ବର୍ଷା ଓ ପବନ ପ୍ରଭାବରେ ଏକ ନିର୍ମାଣଧୀନ ପାଚେରୀ ଭୁଶୁଡି ପଡିବା କାମର ମାନ ଉପରେ ପ୍ରଶ୍ନ ଉଠାଇଛି ।

ମାଲକାନଗିରି ସହରରେ ୨ ଶହରୁ ଅଧିକ ଗଛ ପଡିଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ କେତେ ଗଛ ପଡିଛି ତାହାର ଆକଳନ କରିବା କଷ୍ଟକର । ୫ଟି ବିଦ୍ୟାଳୟ ସମେତ ଉଭୟ ସରକାରୀ ଓ ବେସରକାରୀ ଘର ନଷ୍ଟ ହୋଇ ଥିବା ବେଳେ କଂଗ୍ରେସ ଭବନ ଟିଣ ଛପର ଉଡି ଯାଇଛି । ଅନେକ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଉପରେ ଗଛ ପଡିବା ଯୋଗୁ ବିଦ୍ୟୁତ ସରବରାହ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସରକାରୀ ଭାବେ କେତେ ଘର ଦ୍ୱାର ନଷ୍ଟ ହୋଇଛି, କେତେ କ୍ଷୟକ୍ଷତି ହୋଇଛି ତାହାର ଏ ଯାଏଁ ତଥ୍ୟ ଆସି ନାହିଁ । ତେବେ ରିପୋର୍ଟ ଆସିବା ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ସେପଟେ ସତିଗୁଡା ଡ୍ୟାମରେ ମାଛ ଧରିବାକୁ ଯାଇ ଡଙ୍ଗା ବୁଡି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।