କଲବଲ କଲା କାଳ ବୈଶାଖୀ: ମାଲକାନଗିରିରେ ଏକର ଏକର ଜମିରେ ଭାସିଲା ତରଭୁଜ, କୃଷ୍ଣପ୍ରସାଦରେ ଉଜୁଡ଼ିଗଲା ଚିନିବାଦାମ ଫସଲ

81

କନକ ବ୍ୟୁରୋ: ଅଦିନିଆ ବର୍ଷା ଉଜାଡି ଦେଇଛି ସୁନାର ଫସଲ । ଜମିରେ ଲହଡ଼ି ଭାଙ୍ଗୁଛି ପାଣି । ମାଲକାନଗିରି ଏମଭି ୧୧ରେ ଏକର ଏକର ଜମିରେ ଫଳିଥିବା ତରଭୂଜ ପାଣିରେ ଭାସୁଛି । ଏଥର ଭଲ ତରଭୂଜ ଫଳିଥିଲା, ରୋଜଗାର ଭଲ ହେବ ବୋଲି ଆଶା ବାନ୍ଧିଥିଲେ ଚାଷୀ । କିନ୍ତୁ ପଶ୍ଚିମାଝଡ଼ ଚାଷୀଙ୍କ ଆଶାରେ ପାଣି ପକାଇ ଦେଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର । ବର୍ଷା ଯୋଗୁଁ ଏକର ଏକର ଚିନାବାଦାମ ଫସଲ ନଷ୍ଟ ହୋଇଯାଇଛି । ଦୁଇ ଦିନ ଧରି ବର୍ଷା ହେବା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀମାନେ ଆଉ କିଛିଦିନ ମଧ୍ୟରେ ଚିନାବାଦାମ ଅମଳ କରିଥାନ୍ତେ । ହେଲେ ଅମଳ ପୂର୍ବରୁ ଦାଉ ସାଧିଛି ଅଦିନିଆ ବର୍ଷା ।

ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି, କୋରାପୁଟ ଜିଲ୍ଲା । ମାଲକାନଗିରି ମେଟାଗୁଡ଼ା ଗାଁରେ କାନ୍ଥ ପଡ଼ି ଚାଲିଗଲା ୪ ମାସ ଶିଶୁ କନ୍ୟାର ଜୀବନ । ମା’, ବାପା ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ସେହିପରି ଏମପିଭି ୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼, ବର୍ଷା ଯୋଗୁଁ ୧୦ରୁ ଅଧିକ ଘର ଭାଙ୍ଗି ଯିବା ସହ ଉଡି ଯାଇଛି ଅନେକ ଘରର ଛପର । କାନ୍ଥ ପଡ଼ି ଜଣେ ମହିଳା ଆହତ ହୋଇଥିବା ବେଳେ ଘରେ ପାଣି ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।

କୋରାପୁଟରେ ଅଦିନିଆ ଝଡ଼ ବର୍ଷା ଯୋଗୁଁ ଚାଳ ଛପର ଓ ଆଜବେଟସ୍ ଉଡିଯାଇଛି । ସାଇତି ରଖିଥିବା ଖାଦ୍ୟଶସ୍ୟରେ ପାଣି ପଶିଯିବାରୁ ନଷ୍ଟ ହୋଇଯାଇଛି । ଦଶମନ୍ତପୁର ବ୍ଲକ ହାତୀମୁଣ୍ଡା ଗାଁରେ ଅନେକ କ୍ଷୟକ୍ଷତି ହୋଇଛି ।

ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ର । ଓଡ଼ିଶାର କିଛି ସ୍ଥାନରେ ଏବେ ବି ବାଦଲର ବଳୟ ରହିଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, କନ୍ଧମାଳ, ଦେବଗଡ଼, ସୁନ୍ଦରଗଡ଼, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଗୋଟିଏ ପଟେ ବର୍ଷା ଯୋଗୁଁ ତାତିରୁ ସାମୟିକ ଆଶ୍ୱ୍ସ୍ତି ମିଳିଥିବା ବେଳେ ଅନ୍ୟପଟେ ପଶ୍ଚିମାଝଡ଼ ଅନେକଙ୍କୁ ଦୁଃଖ ଦେଇଛି ।