ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । ୪ ବର୍ଷ ତଳେ ସମାନ ଢଙ୍ଗରେ ରାଉରକେଲା ଆଇଆଇଏଫଏଲରୁ ଚୋରି ହୋଇଥିଲା ୨ କୋଟି ଟଙ୍କା

240

କନକ ବ୍ୟୁରୋ : କଟକ ସ୍ଥିତ ଇଣ୍ଡିଆ ଇନଫୋ ଲାଇନ ଫାଇନାନ୍ସ ଲିମିଟେଡ୍ ବା ଆଇଆଇଏଫଏଲ ଋଣ ସଂସ୍ଥାରୁ ଯେଭଳି ଲୁଟ ହୋଇଛି , ଗତ ୪ ବର୍ଷ ତଳେ ଠିକ ଏହି ଢଙ୍ଗରେ ରାଉରକେଲାର ଆଇଆଇଏଫଏଲ ଶାଖାରୁ ଚୋରି ହୋଇଥିଲା । ଲୁଟ ହୋଇଥିବା ସୁନା ମୂଲ୍ୟ ସେତେବେଳେ ୨ କୋଟି ଟଙ୍କା ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା । ସବୁଠୁ ବଡ କଥା ହେଉଛି ଏହି ଲୁଟ ବେଳେ ମଧ୍ୟ ସାଇରନ ବାଜିନଥିଲା , ସିସିଟିଭି ବି ଅଚଳ ଥିଲା ଓ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ସୁରକ୍ଷା କର୍ମୀ ମଧ୍ୟ ନଥିଲେ । ଆଉ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କିଏ ଲୁଟ କଲା ଏପର୍ଯ୍ୟନ୍ତ ଧରିପାରିନି ପୋଲିସ୍ । ଏବଂ ସେ ଫାଇଲ ବୋଧ ହୁଏ ବନ୍ଦ ହୋଇ ଗଲାଣି ।

ନଭେମ୍ବର ୨୦୨୦ ଠିକ ସମାନ ଢ଼ଙ୍ଗରେ କଟକର ଜନଗହଳି ପୂର୍ଣ୍ଣ ନୟାସଡକ ଅଂଚଳରେ ଥିବା ଆଇଆଇଏଫଏଲରୁ ସକାଳ ୯ଟା ୪୫ରେ କୁଆଡେ ୪୨ କିଲୋ ସୁନା ଚୋରି ହୋଇଗଲା । ଏଠି ବି ରାଉରକେଲା ଷ୍ଟାଇଲ ଥିଲା । ସିସିଟିଭି ଅଚଳ ଥିଲା, ଲୁଟ ବେଳେ ସାଇରନ ବି ବାଜି ନଥିଲା । ୪ବର୍ଷ ତଳେ ରାଉରକେଲାରେ ଯେମିତି ନିର୍ଦ୍ଧାରିତ ସମୟର କିଛି ସମୟର ପୂର୍ବରୁ ସଂସ୍ଥା ଖୋଲିଥିଲା ଏବେ କଟକରେ ବି ସେମିତି କିଛି ସମୟ ପୂର୍ବରୁ ଅଫିସ ଖୋଲିଥିଲା ।

ରାଉରକେଲା ଓ କଟକର ଆଇଆଇଏଫଏଲ ସଂସ୍ଥାରୁ ଆଶ୍ଚର୍ଯ୍ୟ ଜନକ ଭାବେ ସମାନ ଢ଼ଙ୍ଗରେ ଲୁଟ ଘଟଣା କମିଶନରେଟ ପୋଲିସକୁ ଆଶ୍ଚର୍ଯ୍ୟ କରି ଦେଇଛି । ପୋଲିସ ସଂସ୍ଥାର ଅଧିକାଂଶ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଛି । ଆଉ ଏବେ ପୋଲିସର ସନ୍ଦେହ ଆଇଆଇଏଫଏଲର କର୍ମଚାରୀଙ୍କ ଉପରକୁ ମଧ୍ୟ ଯାଉଛି ।

କନକ ନ୍ୟୁଜକୁ ମିଳିଥିବା ଏହି ଫଟୋ ବୟାନ କରୁଛି ଯେ ଲୁଟେରାମାନେ ଲୁଟ କରିବା ପରେ ୪୦/ ୪୨ କିଲୋର ସୁନା ଧରି ଯାଇ ନାହାଁନ୍ତି । କାରଣ ସେମାନେ ଯାଉଥିବାବେଳେ ଜଣଙ୍କ ପିଠିରେ ଏକ ଛୋଟ କଳାରଙ୍ଗର ବ୍ୟାଗ ଥିଲା ଏବଂ ସେଥିରେ ବେଶୀ ପରିମାଣର ସାମଗ୍ରୀ ନଥିବା ପରି ମନେ ହେଉଛି । ଏଥିସହ ଏକ ଧଳାରଙ୍ଗର ଜରି ଅଖା ବ୍ୟାଗ ରହିଛି । ଯାହାର ଉପରପଟ ଖୋଲା ରହିଛି । ଏବଂ ଏହି ବ୍ୟାଗରେ ମଧ୍ୟ ସେଭଳି କିଛି ବେଶି ସାମଗ୍ରୀ ଥିବା ଭଳି ଜଣାପଡୁନି ।

ସେପଟେ କମିଶନରେଟ ପୋଲିସ ସୁନା ଋଣ ସଂସ୍ଥାକୁ ପ୍ରବେଶ କରୁଥିବା ଲୋକମାନଙ୍କ ସିସିଟିଭି ଫୁଟେଜ ମାଗିଛି । ସେଥିରୁ ପୁଲିସ ଜାଣିବା ପାଇଁ ଚାହୁଁଛି ସଂସ୍ଥାକୁ କେହି ଲୋକ ରେକି କରିବା ପାଇଁ ଆସି ଥିଲେ କି?