କୋଟିଆରେ ସବୁ ଦଳର ସହମତିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ପ୍ରାର୍ଥୀ । ସର୍ବଦଳୀୟ ବୈଠକରେ ନିଆଗଲା ନିଷ୍ପତ୍ତି ।

162

କନକ ବ୍ୟୁରୋ: କୋଟିଆରେ କିଏ ହେବ ପ୍ରାର୍ଥୀ? ଏନେଇ କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ । ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ । ତେବେ କିଏ ପ୍ରାର୍ଥୀ ହେବ ସେନେଇ ସବୁ ଦଳର ନେତା ମିଶି ନାମ ଚୟନ କରିବେ । ତେବେ ପ୍ରାଥମିକ ଅବସ୍ଥାରେ ଜଣେ ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ସ୍ଥିର ହୋଇଛି ।

ସର୍ବଦଳୀୟ ବୈଠକରେ ସବୁ ଦଳର ନେତା ଭାଗ ନେଇଥିଲେ । ତେବେ ଆନ୍ଧ୍ରକୁ ମାତ୍ ଦେବା ପାଇଁ ଏହି ରଣନୀତି ଆପଣାଯାଇଛି । କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇଛନ୍ତିି ସମସ୍ତ ରାଜନୈତିକ ଦଳ । ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବା ପାଇଁ ଏକମତ ହୋଇଛନ୍ତି ସମସ୍ତ ଦଳ ।

ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା ବାଛିବାକୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେଥିପାଇଁ ଆଜି କୋରାପୁଟରେ ବସିଥିଲା ସର୍ବଦଳୀୟ ବୈଠକ । ପୂର୍ବରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଅଗଣତାନ୍ତ୍ରିକ ଭାବରେ କୋଟିଆରେ କରିଥିଲା ପଞ୍ଚାୟତ ନିର୍ବାଚନ । ଅର୍ଥମୋହ ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରି ସେହି ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲା । ତେଣୁ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶାର ରାଜନୈତିକ ଦଳ ମାନଙ୍କୁ ଏକାଠି ହେବାର ସମୟ ଆସିଛି । କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏବେ ଏକାଠି ହୋଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ତିନି ମୁଖ୍ୟ ଦଳର ଆଞ୍ଚଳିିକ ନେତା ପଡୋଶୀକୁ ଉଚିତ ଜବାବ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ।