କନକ ବ୍ୟୁରୋ: ରାଜ୍ୟ ତଥା ରାଜ୍ୟ ବାହାରେ କୋରାପୁଟ କଫିର ରହିଛି ସ୍ୱତନ୍ତ୍ର ପରିଚୟ । ଏବେ କୋରାପୁଟରେ କଫି ସହିତ କଫି ଚାରା ନର୍ସରୀ କରି ରୋଜଗାର କରୁଛନ୍ତି ମହିଳା । କଫି ନର୍ସରୀ କରି ଜିଲ୍ଳାର ଶତାଧିକ ମହିଳା ରୋଜଗାର ପାଇବା ସହ କଫି ଚାଷର ଚାହିଦାକୁ ପୂରଣ କରୁଛନ୍ତି । ଜିଲ୍ଳାର ୫ଟି ବ୍ଳକର ୯ଟି ସ୍ଥାନରେ ସ୍ୱୟଂସହାୟକ ମହିଳା ମାନେ କଫି ବୋର୍ଡ଼ରୁ ତାଲିମ ନେଇ ନିଜେ କଫି ମଞ୍ଜିରୁ କଫି ଚାରା ପ୍ରସ୍ତତ କରୁଛନ୍ତି । ମହିଳା ମାନେ ଏକାଠି ହୋଇ ଏହି କାମ ଶିଖିବା ସହ ଜିଲ୍ଳାରେ ଲାଗୁଥିବା କଫି ଗଛର ଚାହିଦାକୁ ପୂରଣ କରିପାରୁଛନ୍ତି । ଏଥିରେ ନିଜେ ରୋଜଗାର ପାଇବା ସହ ଅନ୍ୟକୁ ମଧ୍ୟ ରୋଜଗାରର ବାଟ ଦେଖାଇପାରିଛନ୍ତି । ଚାରା ପାଇଁ ଆବଶ୍ୟକ ବେଡ଼ ପ୍ରସ୍ତୁତି କରି ଗଛ ଗୁଡ଼ିକ ୬ ପତ୍ର ବିଶିଷ୍ଟ ହେଲେ ଏହାକୁ ବିକ୍ରି କରୁଛନ୍ତି ।

ମହିଳାମାନେ ଏକାଠି ହୋଇ କଫି ନର୍ସରୀ କରି ଏହାର ସମ୍ପୁର୍ଣ୍ଣ ଯତ୍ନ ନେଉଛନ୍ତି । ଗୋଟିଏ ସ୍ଥାନରେ ଏକ ଲକ୍ଷ ୬୦ ହଜାର ଚାରା ଲାଗିଛି । ନର୍ସରୀରେ ସାର ଦେବା ଘାସ ବାଛିବା ଭଳି ସମସ୍ତ କାମ କରୁଛନ୍ତି ମହିଳା । ଏହିପରି ଭାବେ ଜିଲ୍ଳାର ୯ ସ୍ଥାନରେ ୧୩ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି । ଏହି ଚାରା ପ୍ରସ୍ତ୍ୁତିରେ ବର୍ଷକ ମଧ୍ୟରେ ୬ ମାସ ମହିଳାଙ୍କୁ କାମ ଧନ୍ଧା ମିଳିପାରୁଛି । କୋରାପୁଟ କଫିର ଚାହିଦାକୁ ଦେଖି ଚଳିତ ବର୍ଷ ଅଧିକ ୫ ଶହ ୨୩ ହେକ୍ଟର ଜମିରେ କଫି ଚାଷ କରିବା ପାଇଁ ଜ୍ିଲ୍ଳା ପ୍ରଶାସନ ନିଷ୍ପତି ନେଇଛି । କିନ୍ତୁ ଚାରା ପ୍ରସ୍ତୁତି ଦାୟିତ୍ୱରେ ଥିବା ମୃତ୍ତିକା ସରଂକ୍ଷଣ ବିଭାଗର କର୍ମଚାରୀଙ୍କ ପାଖରେ ଏହା ସଫଳ ନହେବାରୁ ଜ୍ିଲ୍ଳା ପ୍ରଶାସନ ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମ ପଞ୍ଚାୟତର ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ ଦେଇ କଫି ଚାରା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ କଫି ବୋର୍ଡ଼ ତାଲିମ ଦେଇଥିବା ବେଳେ ଓଡ଼ିଶା ଜୀବିକା ମିଶନ ସହଯୋଗର ହାତ ବଢ଼ାଇଛି ।

ନର୍ସରୀରୁ ଚାରା କିଣିବା ପାଇଁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ ଚୁକ୍ତିନାମା କରିଛି । ଚାରା ପ୍ରସ୍ତ୍ୁତିରେ ୯ ଟଙ୍କା ୨୫ ପଇସା ଖର୍ଚ୍ଚ ହେଉଥିବା ବେଳେ ୧୨ ଟଙ୍କା ୧୭ ପଇସାରେ କିଣି ନେବ ମୁର୍ତ୍ତିକା ସଂରକ୍ଷଣ ବିଭାଗ । ଅଳ୍ପ ଦିନରେ ସବୁ ଚାରା ଜିଲ୍ଳାର ବିଭିନ୍ନ ସ୍ଥାନରେ ଲଗାଇବ ପାଇଁ ଯୋଜନା କରାଯାଇଛି । ନିଜ ଜିଲ୍ଳା ପାଇଁ କୋରାପୁଟ କଫି ଚାରା ପ୍ରସ୍ତୁତ ହେବା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଚାରା ପାଇଁ ଅର୍ଡ଼ର ଆସୁଛି । କଫି ସହ କଫି ଚାରା ମଧ୍ୟ ଜିଲ୍ଳା ପାଇଁ ଆଣିଦେଇଛି ଆଉ ଏକ ପରିଚୟ ।