କନକ ବ୍ୟୁରୋ: ଭୋଟ ଗଣତିର ତୃତୀୟ ଦିନର ସାରା ରାଜ୍ୟର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି, ଶାସକ ଦଳକୁ ବିରୋଧୀ ୱାକ୍ ଓଭର ଦେଇ ଦେଇଛନ୍ତି । କିନ୍ତୁ ରାଜ୍ୟର ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରି ଶାସକ ଦଳକୁ ଟକ୍କର ଦେଇଛି । କୋରାପୁଟରେ ବିଜେଡି ୧୬ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୨ଆସନରେ ଆଗୁଆ ରହିଛି । ତେବେ ମୋଟ ୨୯ ଜିଲ୍ଲା ପରିଷଦ ଆସନ ବିଶିଷ୍ଟ କୋରାପୁଟରେ କଂଗ୍ରେସ ମ୍ୟାଜିକ ନମ୍ବରକୁ ଛୁଇଁ ପାରିନାହିଁ । ସେପଟେ ମୁଖ୍ୟ ବିରୋଧୀ ଦଳ ବିଜେପି କୋରାପୁଟରେ ଖାତା ଖୋଲି ପାରି ନାହିଁ । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହିନୀପତିଙ୍କ ଅଂଚଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି ।

କୋରାପୁଟ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୨୯
ବିଜେଡି- ୧୬ ଜିଲ୍ଲା ପରିଷଦ ଆସନରେ ଆଗୁଆ
କଂଗ୍ରେସ –୧୨ ଜିଲ୍ଲା ପରିଷଦ ଆସନରେ ଆଗୁଆ
କୋଟିଆ- ଜିଲ୍ଲା ପରିଷଦ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ

କେବଳ କୋରାପୁଟ ଜିଲ୍ଲାରେ ଏକମାତ୍ର ବିରୋଧୀ ଭାବେ କଂଗ୍ରେସ ଦୁଇ ଅଙ୍କ ଛୁଇଁପାରିଛି । ମ୍ୟାଜିକ ନଂବର ଠାରୁ କଂଗ୍ରେସ ଏବେ ଦୂରରେ ରହିଛି, କିନ୍ତୁ ଚୂଡାନ୍ତ ଫଳାଫଳ ନଆସିବା ଯାଏଁ କିଏ ଜିଲ୍ଲାପରିଷଦ ଗଠନ କରିବ କହିବା ଆଗୁଆ ହୋଇଯିବ ।

ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ମଧ୍ୟ କଂଗ୍ରେସ ତାର ପକେଟ ଭୋଟ ବଂଚାଇବାରେ ସକ୍ଷମ ହୋଇଛି । ମୋଟ ୨୨ ଜିଲ୍ଲାପରିଷଦ ଆସନ ବିଶିଷ୍ଟ ରାୟଗଡା ଜିଲ୍ଲାରେ ବିଜେଡି ୧୬ ଆସନରେ ଆଗୁଆ ରହିଛି । ବିଜେପି ଖାତା ଖୋଲି ପାରିନାହିଁ । ଆଉ କଂଗ୍ରେସ ୬ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କଂଗ୍ରେସ ତାର ପାରମ୍ପରିକ ଭୋଟକୁ କିଛି ମାତ୍ରାରେ ବଜାୟ ରଖିବାରେ ସକ୍ଷମ ହୋଇଛି ।

ରାୟଗଡା ଜିଲ୍ଲା ପରିଷଦ ଆସନ ସଂଖ୍ୟା ୨୯
ବିଜେଡି- ୨୨ ଜିଲ୍ଲାପରିଷଦ ଆସନରେ ଆଗୁଆ
କଂଗ୍ରେସ – ୧୬ ଜିଲ୍ଲା ପରିଷଦ ଆସନରେ ଆଗୁଆ

କୁହାଯାଏ ଆଦବାସୀ ଓ ଦଳିତ ସଂପ୍ରଦାୟ ହେଉଛି କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ । ରାଜ୍ୟରେ ନବୀନ ହାୱା ସତ୍ୱେ କଂଗ୍ରେସ ତାରା ପୁରୁଣ ଭୋଟରଙ୍କ ଭୋଟ ହାତେଇବାରେ ସକ୍ଷମ ହୋଇଛି ।