କନକ ବ୍ୟୁରୋ : ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କେନ୍ଦୁଝର ବାଂଶପାଳ ବ୍ଲକ ୨୫ ନମ୍ବର ଜୋନ ତେନ୍ତୁଳି ମତଦାନ କେନ୍ଦ୍ରରେ ଫେକ୍ ଭୋଟିଂର ଅଭିଯୋଗ ଆଣିଲେ ଭୋଟର । ଜଣେ ନିଦ୍ଧିଷ୍ଟ ବ୍ୟକ୍ତି କିଛି ଲୋକଙ୍କୁ ଭୋଟଦାନ କେନ୍ଦ୍ରକୁ ନେଇ ଏଭଳି ଫେକ୍ ଭୋଟିଂ କରୁଥିବା ସୂଚନା ମିଳିଛି । ଏନେଇ ଅଭିଯୋଗ ହେବା ପରେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ତହସିଲଦାର ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ । ହେଲେ ପୋଲିସ ସେହି ବ୍ୟକ୍ତିଙ୍କୁ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି ।

Advertisment

ସେପଟେ, ଭୋଟ ବର୍ଜନ କଲେ ଗ୍ରାମବାସୀ । କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ମୁନିଗୁଡା ଗାଁଲୋକେ ଭୋଟ ବର୍ଜନ କରିଛନ୍ତି । ୮ ନମ୍ବର ବୁଥରେ ଭୋଟଦାନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ କୌଣସି ଭୋଟର ଭୋଟଦେବାକୁ ଯାଇନାହାନ୍ତି । ଗ୍ରାମବାସୀଙ୍କ ମୌଳିକ ସୁବିଧା ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗାଁଲୋକେ ।

ବ୍ରହ୍ମଗିରି ନିଶିଭଅଁର ଗାଁରେ ଭୋଟ୍ ଗ୍ରହଣ ବେଳେ ରାଜନୈତିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଭୋଟ୍ ଦେବାକୁ କହିବାରୁ ଏହି ସଂଘର୍ଷ ଘଟିଥିବା ଅଭିଯୋଗ ହୋଇଛି ।

ଜୟପୁର ବୋରିଗୁମ୍ମାରେ ରାଜନୈତିକ ହିଂସା । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବିଜେପି କର୍ମୀଙ୍କ ଆକ୍ରମଣରେ ମନ୍ତ୍ରୀଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ମତଦାନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ସସହାଣ୍ଡି ପଂଚାୟତରେ ବୁଥ୍ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏନେଇ ସେ ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି ।