କଳାହାଣ୍ଡିରେ ଚର୍ଚ୍ଚିତ କିନ୍ନର ବାହାଘର ନେଇ ମୁହଁ ଖୋଲିଲେ ସ୍ତ୍ରୀ। କହିଲେ, ବିବାହର ଏକ ବର୍ଷ ପୂର୍ବରୁ ପରିବାର ସହ ଏକାଠି ରହୁଥିଲେ କିନ୍ନର ସଂଗୀତା। 

358

କନକ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଧୁରୁକୁଟି ଗାଁର ଫକୀର ନିହାଲଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା । ବିବାହିତ ଫକୀର ଜଣେ କିନ୍ନର ସଙ୍ଗୀତାଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ କୁନିଆ ନିହାଲ ବିବାହ କାର୍ଯ୍ୟରେ ସାମିଲ ହୋଇ ସବୁ ବୁଝାବୁଝି କରିବା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ନର୍ଲା ବ୍ଲକ ଧୁରୁକୁଟି ଗାଁର ଫକୀର ନିହାଲ ପୂର୍ବରୁ ବିବାହିତ । ଘରେ ଏକ ୪ ବର୍ଷର ପୁଅ ମଧ୍ୟ ରହିଛି । ହେଲେ କିନ୍ନର ସଙ୍ଗୀତା ପ୍ରେମରେ ସ୍ୱାମୀ ପଡିଯାଇଥିବା ଜାଣି ସ୍ତ୍ରୀ କୁନି ବାଧା ନଦେଇ ସେମାନଙ୍କ ପ୍ରେମକୁ ସ୍ୱୀକୃତି ଦେଇଥିଲେ । ଆଉ ବିବାହ ପରେ ଏବେ ସଙ୍ଗୀତା ଓ ଫକୀରଙ୍କ ସହ ଗୋଟିଏ ଘରେ ୪ ବର୍ଷର ଛୁଆକୁ ନେଇ ଅଛନ୍ତି କୁନି ନିହାଲ ।

କିନ୍ନର ସଙ୍ଗୀତା ପ୍ରେମରେ ସ୍ୱାମୀ ପଡିଥିବା ଜାଣିବା ପରେ କୁନି ନିହାଲ ବିରୋଧ କରିନଥିଲେ । କୁନି କହିଛନ୍ତି ଦୁନିଆରେ ସ୍ୱାମୀଙ୍କୁ ଛାଡିଦେଲେ ତାଙ୍କର କେହି ନାହାନ୍ତି । ତେଣୁ ତାଙ୍କର ଭବିଷ୍ୟ ଓ ୪ ବର୍ଷ ପିଲାର ଭବିଷ୍ୟତକୁ ଦେଖି ସେ ଏପରି ନିଷ୍ପତି ନେଇଛନ୍ତି ।

ସ୍ୱାମୀଙ୍କ ପ୍ରେମକୁ କୁନି ସ୍ୱୀକୃତି ଦେବା ପରେ, କିନ୍ନର ସଙ୍ଗୀତା ଆସି କୁନି ଓ ଫକୀରଙ୍କ ସହ ଗୋଟିଏ ଘରେ ପ୍ରାୟ ଏକ ବର୍ଷ ରହିଥିଲା । ବର୍ଷେ ରହିବା ଭିତରେ ଭଲ ବୁଝାମଣା ଦେଖି ସ୍ୱାମୀ ଓ ସଙ୍ଗୀତାକୁ ବିବାହ କରିବାକୁ ନିଷ୍ପତି ନେଇଥିଲେ କୁନି । ଏହାକୁ ସମର୍ଥନ କରିଥିଲା କିନ୍ନର ସଂଘ । ଆଶ୍ଚର୍ଯ୍ୟର କଥା ହେଉଛି ବିବାହ ପରେ ଏବେ ତିନି ଜଣ ଏକାଠି ରହୁଛନ୍ତି । ସେମାନେ କହିଛନ୍ତି ସମାଜ ଯାହା କହୁନା କାହିଁକି, ସେମାନେ ଖୁସିରେ ଅଛନ୍ତି ଓ ସବୁଦିନ ଖୁସିରେ ରହିବାକୁ ଚାହୁଁଛନ୍ତି ।