କନକ ବ୍ୟୁରୋ: ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ । ବିଜ୍ଞାନର ବହୁଳ ବ୍ୟବହାର ସତ୍ୱେ ରାଜ୍ୟର ଅଗ୍ରଣୀ ଜିଲ୍ଲା ଯାଜପୁରରେ ଅନ୍ଧବିଶ୍ୱାସର ଛାପ ରହିଛି । ଫଳରେ କୁଷ୍ଠ ରୋଗ ନିରାକରଣରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସାମାଜିକ ବାସନ୍ଦ ଭୟରେ ସଂକ୍ରମିତ ରୋଗୀ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଠାରୁ ଦୁରେଇ ରହୁଛନ୍ତି । ଫଳରେ ଦିବ୍ୟାଙ୍ଗ ବନିଯାଉଛନ୍ତି ।

Advertisment

ରୋଗକୁ ନେଇ ଥିବା ସନ୍ଦେହ ଓ ସଂକୋଚକୁ ଦୂର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ଅନ୍ଧବିଶ୍ୱାସ ଜାଲରେ ଛନ୍ଦି ହୋଇପଡିଛି କୁଷ୍ଠ ନିରାକରଣ ଯୋଜନା । ଡିସେମ୍ବର ୧ରୁ ୧୪ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ କରି ରୋଗୀ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି ସରକାର । କିନ୍ତୁ ଲୋକଲଜ୍ୟା ଭୟରେ ରୋଗୀ ନିଜର ରୋଗ ଜଣାଇବାକୁ ପଛଘୁଂଚା ଦେଉଛନ୍ତି । ତେଣୁ ରୋଗ ନିରାକରଣ କରାଇବାରେ ସମସ୍ୟା ହେଉଛି । ଜିଲ୍ଲାରେ ପ୍ରତିବର୍ଷ ଶହଶହ ରୋଗୀ ଚିହ୍ନଟ ହେଉଥିବା ବେଳେ ମାଗଣା ଏମଡିଟି ଔଷଧ ଜରିଆରେ ରୋଗ ଭଲ କରାଯାଉଛି । କିନ୍ତୁ ଯେଉଁମାନେ ରୋଗ ଲୁଚାଇ ରଖୁଛନ୍ତି ସେମାନେ ଦିବ୍ୟାଙ୍ଗ ପାଲଟି ଯାଉଛନ୍ତି ।

କିଛି ବର୍ଷରେ ଯାଜପୁର ଜିଲ୍ଲାରେ ୨ହଜାର ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ୨୦୧୭-୧୮ରେ ୩୪୨ ଜଣ, ୧୮-୧୯ ରେ ୩୭୫, ୧୯-୨୦ରେ ୩୨୬, ୨୦-୨୧ରେ ୨୮୩, ୨୧-୨୨ରେ ୨୦୫, ୨୨-୨୩ରେ ୩୦୮ ଜଣ ଓ ଚଳିତ ବର୍ଷ ୨୩୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଅନୁସାରେ ୨ଟି ପର୍ଯ୍ୟାୟରେ ୬ମାସ ଓ ୧ ବର୍ଷର ଔଷଧ ଯୋଗାଇ ଦିଆଯାଉଛି । ଆଉ ଯେଉଁମାନେ ଲୋକଲଜ୍ଜା ଭୟରେ ରୋଗ ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଉନାହାନ୍ତି, ସେମାନେ ୮ରୁ ୧୦ ବର୍ଷ ପରେ ଦିବ୍ୟାଙ୍ଗ ବନି ଯାଉଛନ୍ତି । ୨୦୧୭-୧୮ରେ ୧୭ ଜଣ, ୧୮-୧୯ରେ ୪, ୧୯-୨୦ରେ ୨, ୨୦-୨୧ରେ ୨, ୨୨-୨୩ରେ ଜଣେ ଓ ୨୩-୨୪ରେ ୬ ଜଣ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଧୀରେଧୀରେ କମୁଥିବା ଜିଲ୍ଲା କୁଷ୍ଠ ଅଧିକାରୀ କହିଛନ୍ତି ।

ଜିଲ୍ଲାର ବ୍ୟାସନଗର ଅଂଚଳରେ ଆଜି ବି ଗାନ୍ଧୀନଗର ନାଁରେ ୧୮୧ ଜଣ କୁଷ୍ଠ ରୋଗୀଙ୍କୁ ନେଇ କୁଷ୍ଠ କଲୋନୀ ରହିଛି । ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କଲୋନୀରେ ପହଂଚି ସେବା ଯୋଗାଇ ଦିଆଯାଉଛି ।