ଯାଜପୁର ବରୀରେ ହିତାଧିକାରୀଙ୍କ ରାସନ ଚାଉଳ ହଡପ। ନିଲମ୍ବନ ପରେ ବି ଜାଲ ଟିପ ଚିହ୍ନରେ ଚାଉଳ ଆତ୍ମସାତ୍ ଅଭିଯୋଗ।

131

କନକ ବ୍ୟୁରୋ: ଜାଲ ଟିପରେ ହରିଲୁଟ ହେଉଛି ଜନତାଙ୍କ ଚାଉଳ । ରାସନ ସାମଗ୍ରୀ ବଣ୍ଟନରେ ମହାଦୁର୍ନୀତି । ଡିଲର ଖାଇ ଦେଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଚାଉଳ । ଡିଲର ଜଣଙ୍କ ବର୍ଷ ବର୍ଷ ଧରି ସରକାର ଯୋଗାଉଥିବା ରାସନ ସାମଗ୍ରୀକୁ ହଡପ କରିଚାଲିଥିବା ବେଳେ ଗତ କିଛିଦିନ ପୂର୍ବରୁ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ନିଲମ୍ବନ ହୋଇଥିଲେ । ତେବେ କାହା ଛତ୍ରଛାୟା ତଳେ ରହି ପୁଣି ଚଳାଇଛନ୍ତି ଏହି ଦୁର୍ନୀତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାଜପୁର ବରୀ ବ୍ଲକ କାଇପଡା-କଳାମାଟିଆରେ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଉଥିବା ଯୋଗାଣ ସହାୟକ ପ୍ରକାଶ ନାୟକ ପ୍ରାୟ ଶହେରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ଚାଉଳ ହଡପ କରିଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ବାବୁ ଜଣଙ୍କ ଡିଲର ପଦବୀରୁ ନିଲମ୍ବନ ପରେ ବି ରାଜନେତା ଓ ସରକାରୀ ବାବୁଙ୍କ ଛାତ୍ରଛାୟା ତଳେ ରହି ଲୋକଙ୍କୁ ଲୁଟିବାକୁ ଡିଲର ପଦବୀ ଛାଡୁନାହାନ୍ତି । ଲୋକେ ରାସନ ନପାଇ ହଇରାଣ ହେଉଛନ୍ତି । ଏନେଇ ବରୀ ବିଧାୟିକା ସୁନନ୍ଦା ଦାସ ହିତାଧିକାରୀଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରି ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ।