କନକ ବ୍ୟୁରୋ: ବାପା ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ସଂଗ୍ରାମ କରୁଛନ୍ତି ଆଦିବାସୀ ସାନ୍ତାଳୀ ପରିବାର । ଜମିପଟ୍ଟା ପାଇଁ ବର୍ଷବର୍ଷ ଧରି କରୁଛନ୍ତି ସଂଘର୍ଷ । ପ୍ରଶାସନିକ ବାବୁଙ୍କ କାର୍ଯ୍ୟାଳୟକୁ ଦଉଡି ଦଉଡି ଥକି ପଡିଲେଣି ୬୦ରୁ ଅଧିକ ଆଦିବାସୀ ପରିବାର । ଆଉ ସବୁ ଜାଣି ଚୁପ୍ ରହିଛି ଯାଜପୁର ଜିଲ୍ଲା ପ୍ରଶାସନ । ସେପଟେ ଘରଡିହ ପଟ୍ଟା ନଥିବାରୁ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ମେଧାବୀ ଛାତ୍ରଛାତ୍ରୀ । ପାଠପଢି ଚାକିରି କରି ପାରୁନଥିବାରୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଚିରି ଫୋଫାଡ଼ି ଦେବୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରୁଥିବା ଆଦିବାସୀ ସାନ୍ତାଳ ପରିବାର ଓ ଶିକ୍ଷିତ ଛାତ୍ରଛାତ୍ରୀ କ୍ଷୋଭର ସହ ଏଭଳି କହିଛନ୍ତି ଛାତ୍ରଛାତ୍ରୀ ।

Advertisment

ଯାଜପୁର ବ୍ୟାସନଗର ତହସିଲ ଅନ୍ତର୍ଗତ ପାଟରଙ୍ଗା ପଂଚାୟତର ଗୁହିରାଗାଡିଆ ଗାଁରେ ଜଙ୍ଗଲ ଜମିରେ ରହୁଛନ୍ତି ଆଦିବାସୀ ପରିବାର । ପିଲାଛୁଆ ସଂସାର ସହ ଶହେରୁ ଅଧିକ ବର୍ଷ ହେବ ରହୁଛନ୍ତି ୬୬ଟି ଆଦିବାସୀ ପରିବାର । ଯାଜପୁର-କେନ୍ଦୁଝର ସୀମାନ୍ତ ବରାଙ୍ଗ ଜଙ୍ଗଲରେ ରହୁଥିବା ବେଳେ ଜଙ୍ଗଲ ଜମିକୁ ମଧ୍ୟ ଚାଷ ଜମି ଭାବେ ବ୍ୟବହାର କରୁଛନ୍ତି । ଭୂମିହୀନ ପରିବାରକୁ ଆଜି ଯାଏଁ ଘରଡ଼ିହ ପଟ୍ଟା ଖଣ୍ଡେ ମିଳିନାହିଁ । ଫଳରେ ଆଦିବାସୀ ପରିବାର ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି । କେବଳ ସରକାରୀ ଯୋଜନା ନୁହେଁ, ୩୦ରୁ ଅଧିକ ଛାତ୍ରଛାତ୍ରୀ ସ୍ନାତକ ଓ ସ୍ନାତକୋତ୍ତର ପାସ କରି ଉଚ୍ଚଶିକ୍ଷା ଓ ଚାକିରି ପାଇଁ ଆବେଦନ କରି ପାରୁନଥିବା ଅଭିଯୋଗ କରିଛନ୍ତି । ଘରପଟ୍ଟା ନଥିବାରୁ ଆବାସିକ, ଜାତିଗତ ଓ ଆୟ ପ୍ରମାଣ ପତ୍ର ମିଳୁନି ନାହିଁ, ଫଳରେ ଉଚ୍ଚଶିକ୍ଷା ଓ ଚାକିରି ପାଇଁ ଆବେଦନ ବାଟ ବନ୍ଦ ହୋଇଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଜଙ୍ଗଲ ଅଧିକାର ଆଇନ୍ ବଳରେ କମିଟି ଗଠନ କରାଯାଇ ଘରଡ଼ିହ ପଟ୍ଟା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି । କିନ୍ତୁ ଯାଜପୁର ଜିଲ୍ଲା ପ୍ରଶାସନ ୪ ମାସ ହେବ ଗ୍ରାମସଭା ଆବେଦନକୁ କାର୍ଯ୍ୟକାରୀ କରିବାକୁ ପଛଘୁଂଚା ଦେଉଛି । ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ୟାସନଗର ତହସିଲଦାର ଏବଂ ଯାଜପୁର ଉପ ଜିଲ୍ଲାପାଳଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ସାନ୍ତାଳି ଆଦିବାସୀ । ଏହାର ପ୍ରତିବାଦ କରି ଶତାଧିକ ଆଦିବାସୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନିଜର ଦାବିକୁ ଦୋହରାଇଛନ୍ତି । ଯଦି ଜମି ପଟ୍ଟା ନମେଳି ତେବେ ଅ।।ଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏବେ ଅପେକ୍ଷା, ଆଦିବାସୀ ସାନ୍ତଳ ପରିବାରଙ୍କ ଦୁଃଖ କେବେ ଶୁଣୁଛି ଜିଲ୍ଲା ପ୍ରଶାସନ, ଏମାନଙ୍କୁ କେବେ ମିଳିଛୁ ଘରଡିହ ପଟ୍ଟା ତାକୁ ହିଁ ଅପେକ୍ଷା ।