ରାଜ୍ୟପାଳଙ୍କୁ ସଭା ମଞ୍ଚରେ କାହିଁକି ଚାପୁଡା ମାରିଲେ ଏହି ବ୍ୟକ୍ତି । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

151

କନକ ବ୍ୟୁରୋ : ଇରାନରେ ଭାଷଣ ଦେଉଥିବା ଜଣେ ରାଜ୍ୟପାଳଙ୍କୁ ଜଣେ ବ୍ୟକ୍ତି ସଭା ମଞ୍ଚରେ ଚଢି ଚାପୁଡା ମାରିଛନ୍ତି । ଅଚାନକ ଏଭଳି ଘଟଣାକୁ ଦେଖି ସଭାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ଏହାପରେ ଚାପୁଡା ମାରିଥିବା ଲୋକଙ୍କ ଧରି ପଚରା ଉଚରା କରିବା ପରେ ସେ ଯାହା ଉତ୍ତର ଦେଲେ ତାହା ଜାଣିଲେ ଆପଣ ତାଜୁବ ହୋଇଯିବେ ।

‘ଦ ଗାର୍ଜିଆନ’ ର ରିପୋର୍ଟ ମୁତାବକ ବ୍ରିଗେଡିୟର ଆବେଦିନ ଖୋରାମଙ୍କୁ ଏବେ ଏବେ ଅଜରବୈଜାନର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି । ସେ ରାଜ୍ୟପାଳ ଭାବେ ଶପଥ ନେବାର କିଛିଦିନ ପରେ ଏକ ସଭାରେ ଭାଷଣ ଦେବାକୁ ମଞ୍ଚ ଉପରେ ଚଢିଥିଲେ । ସେ ଯେତେବେଳେ ଭାଷଣ ଦେବା ଆରମ୍ଭ କରିଥିଲେ, ହଠାତ ଜଣେ ବ୍ୟକ୍ତି ବ୍ୟସ୍ତ ବିବ୍ରତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ ଓ କେହି କିଛି ବୁଝିବା ଆଗରୁ ରାଜ୍ୟପାଳଙ୍କୁ ଚାପୁଡା ପରେ ଚାପୁଡା ମାରିଥିଲେ । ଚାପୁଡାର ଆବାଜ ଏତେ ଅଧିକ ଥିଲା କି ଏହା ମାଇକରେ ବି ରେକଡିଂ ହୋଇଯାଇଥିଲା ।

ରାଜ୍ୟପାଳଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ଦେଖି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ରାଜ୍ୟପାଳଙ୍କୁ ପରଦା ପଛକୁ ନେଇଯାଇଥିଲେ ଓ ଚାପୁଡା ମାରିଥିବା ଲୋକକୁ କାବୁ କରିଥିଲେ । କିଛି ସମୟ ପରେ ରାଜ୍ୟପାଳ ପୁଣି ମଞ୍ଚ ଉପରକୁ ଆସି ଭାଷଣ ଆରମ୍ଭ କରିଥିଲେ । ସେ ତାଙ୍କ ଭାଷଣରେ କହିଥିଲେ କି ଚାପୁଡା ମାରିଥିବା ଲୋକକୁ ସେ ଜାଣି ନାହାଁନ୍ତି । ହେଲେ ସେ ସିରିଆରେ ଥିବାବେଳେ ଶତ୍ରୁମାନେ ଦୈନିକ ତାଙ୍କୁ ଅନେକ ଥର ମାରପିଟ୍ କରୁଥିଲେ । ହେଲେ ବି ସେ ତାଙ୍କୁ କ୍ଷମା କରିଦେଉଥିଲେ ଓ ଆଜି ବି ଚାପୁଡା ମାରିଥିବା ଲୋକକୁ ସେ କ୍ଷମା କରିଦେଇଛନ୍ତି ବୋଲି କହିଥିଲେ ।

ହେଲେ ସବୁଠାରୁ ବଡକଥା ହେଲା ଜଣେ ସାଧାରଣ ଲୋକ ରାଜ୍ୟପାଳ ଭଳି ସମ୍ମାନଜନକ ପଦବୀରେ ଥିବା ଲୋକକୁ ଚାପୁଡା ମାରିଲା କାହିଁକି ? ଏନେଇ ତାଙ୍କୁ ପଚରା ଯିବାରୁ ସେ କହିଥିଲେ କି ଜଣେ ପୁରୁଷ ନର୍ସ ତାଙ୍କ ପତ୍ନୀଙ୍କୁ କରୋନା ଟିକା ଦେଇଥିଲା । ଏହା ଫଳରେ ପୁରୁଷ ନର୍ସ ଜଣଙ୍କ ତାଙ୍କ ପତ୍ନୀଙ୍କ ଶରୀରକୁ ଛୁଇଁଥିଲେ । ଏହି କଥାକୁ ନେଇ ସେ ସରକାରଙ୍କ ଉପରେ ରାଗ ରଖିଥିଲେ । ତେଣୁ ସୁଯୋଗ ପାଇବାରୁ ସେ ସରକାରର ମୁଖ୍ୟ ଲୋକଙ୍କୁ ମାରିବାକୁ ପଛାଇ ନଥିବା କଥା ବ୍ୟକ୍ତି ଜଣଙ୍କ କହିଛନ୍ତି ।