କୁନି ପିଲାଙ୍କୁ କରୋନା ଭୟ । ଇଣ୍ଡୋନେସିଆରେ ଗୋଟିଏ ସପ୍ତାହରେ ଶହେରୁ ଅଧିକ ଶିଶୁ ମୃତ, ମୃତକଙ୍କ ମଧ୍ୟରେ ୫ ବର୍ଷରୁ କମ୍ ବୟସର ଶିଶୁ

302

କନକ ବ୍ୟୁରୋ: କୁନି ପିଲାଙ୍କ ଉପରେ କରୋନାର ପ୍ରଭାବକୁ ନେଇ ଭାରତ ସମେତ ଅନେକ ଦେଶରେ ଯେଉଁ ଧାରଣା ରହିଛି, ତାର ଠିକ୍ ଓଲଟା ଚିତ୍ର ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ଶରୀରରେ ଅଧିକ ଇମ୍ୟୁନିଟି ଏବଂ କରୋନାର କମ୍ ପ୍ରଭାବ ପଡୁଛି ବୋଲି ଏକ ଧାରଣା ଥିବା ବେଳେ ଇଣ୍ଡୋନେସିଆରେ କିନ୍ତୁ ଶିଶୁ ଅଧିକ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ କହୁଛି- ଗୋଟିଏ ସପ୍ତାହ ଭିତରେ ଶହେରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ୫ବର୍ଷରୁ କମ ବୟସର ଶିଶୁ ଅଛନ୍ତି । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ସର୍ବାଧକ ୧୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନାରେ ସଂକ୍ରମିତଙ୍କ ମଧ୍ୟରେ ୧୨.୫% ହେଉଛନ୍ତି ଛୋଟ ପିଲା ।

ଇଣ୍ଡୋନେସିଆରେ କରୋନା ସଂକ୍ରମଣ ବଢ଼ିବା ସହ ଛୋଟ ପିଲାଙ୍କ ଉପରେ ବିପଦ ବଢ଼ଛି । ବିଶ୍ୱରର ୪ର୍ଥ ଜନସଂଖ୍ୟା ବହୁଳ ଦେଶ ଇଣ୍ଡୋନେସିଆ, ବର୍ତମାନ କରୋନାର କେନ୍ଦ୍ରସ୍ଥଳ ପାଲଟିଛି । ଗତ ଶୁକ୍ରବାର ଏଠି ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ପ୍ରାୟ ୫୦ ହଜାର ଥିବା ବେଳେ ୧ ହଜାର୫୬୬ ଜଣଙ୍କ ମୃତ୍ୟୁ ହୋଇଛି ।

ଡେଲଟା ଭୁତାଣୁର ପ୍ରଭାବରେ ଇଣ୍ଡୋନେସିଆରେ ସଂକ୍ରମଣ ବଢୁଥିବା ବେଳେ ଟିକାକରଣରେ ମନ୍ଥରତା ଏବଂ ଛୋଟ ପିଲାଙ୍କ ଚିକିିତ୍ସା ସେବାର ଅଭାବ, ସମସ୍ୟାକୁ ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଇଣ୍ଡୋନେସିଆରେ ରାଷ୍ଟ୍ରପତି, କଟକଣା ଘୋଷଣା କରିଛନ୍ତି । ଏହାରି ଭିତରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକଟ କରିବା ସହ ଆପୋଲୋ ହସ୍ପିଟାଲ ଗ୍ରୁପର ଜଏଂଟ ମ୍ୟାନେଜିଂ ଡାଇରେକ୍ଟର, ଡାକ୍ଟର ସଂଗୀତା ରେଡ୍ଡୀ ଟୁଇଟ୍ କରି ଲେଖିଛନ୍ତି- କେବଳ ଇଣ୍ଡୋନେସିଆରେ ଛୋଟ ପିଲାଙ୍କ ମୃତ୍ୟୁ ହୋଉଛି ତାହା ନୁହେଁ, ଛୋଟ ପିଲାଙ୍କ ଟିକାକରଣ ଏବଂ ପୋଷଣର ସମସ୍ୟାକୁ ନେଇ ଆମକୁ ଗୁରୁତର ଭାବେ ଚିନ୍ତା କରିବାର ସମୟ ଆସିଛି ।