ଭାରତ ୧୦୦ କୋଟି ଡୋଜ୍ ଟିକା ପ୍ରଦାନ କରି ଏକ ମାଇଲସ୍ତମ୍ଭ ଅତିକ୍ରମ କରିଥିବା ବେଳେ ଏତେ ସଂଖ୍ୟକ ଟିକା ଦେବାରେ ଏହା ପୃଥିବୀରେ ଚୀନ୍ (୨୨୦ କୋଟି) ତଳକୁ ଦୁଇ ନମ୍ବର ସ୍ଥାନରେ ରହିଛି। ୧୦୦ କୋଟି-ତମ ଟିକା ଗୁରୁବାର ସକାଳେ ଦିଆଯାଇଥିଲା,- ଜାନୁଆରି ୧୬ରୁ ଭାରତରେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବାର ଠିକ୍ ୯ ମାସ ୫ ଦିନ ପରେ। ତେବେ ସେପ୍ଟେମ୍ବର ଦ୍ବିତୀୟାର୍ଦ୍ଧରୁ ଦୈନିକ ଦିଆଯାଉଥିବା ଟିକା ସଂଖ୍ୟା ହ୍ରାସ ପାଇବା ଦେଖାଯାଉଛି। ପାର୍ବଣ ଋତୁ ଓ ଟିକା ନେବା ପ୍ରତି ଅନିଚ୍ଛା ଏହାର କାରଣ ହୋଇପାରେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ରାଜ୍ୟରେ ଜୋରସୋର ଟିକା ଦିଆଯାଇଥିଲା। ମୋଦୀଙ୍କ ଜନ୍ମଦିନରେ ଏକ କୋଟିରୁ ଊର୍ଦ୍ଧ୍ବ ଟିକା ଦିଆଯାଇଥିଲା। ଏହା ପରେ ସେହି ଉତ୍ସାହରେ ଭଟ୍ଟା ଆସିଯାଇଛି ଏବଂ ଏହା ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇ ଗତ ସପ୍ତାହରେ ଦୈନିକ ହାରାହାରି ୪୦ ଲକ୍ଷକୁ ଖସିଯାଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ସୁଦ୍ଧା ଦେଶର ୭୦୮.୪ ନିୟୁତ ଲୋକଙ୍କୁ ୧,୦୦୦,୨୨୦,୭୧୧ ଡୋଜ୍ ଟିକା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋୱିନ୍ ଡ୍ୟାଶ୍ବୋର୍ଡରୁ ଏହି ସୂଚନା ମିଳିଛି। ଏଥି ମଧ୍ୟରୁ ୮୮୦ ନିୟୁତ ଡୋଜ୍ ହେଉଛି କୋଭିଶିଲ୍ଡର ଏବଂ ୧୧୪ ନିୟୁତ ଡୋଜ୍ ହେଉଛି କୋଭାକ୍ସିନର ବୋଲି ଜଣାପଡ଼ିଛି।
ଟିକା ନେଇଥିବା ମୋଟ ୭୦୮.୪ ନିୟୁତ ଲୋକଙ୍କ ଭିତରୁ ୪୧୬.୬ ନିୟୁତ ଗୋଟିଏ ଡୋଜ୍ ନେଇଛନ୍ତି ଏବଂ ୨୯୧.୮ ନିୟୁତ ଲୋକ ଉଭୟ ଡୋଜ୍ ନେଇଛନ୍ତି। ଦେଶର ୯୪୦ ନିୟୁତ ବୟସ୍କଙ୍କ ମଧ୍ୟରୁ ୪୪.୩ ପ୍ରତିଶତ ଆଂଶିକ ଓ ୩୧ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଅର୍ଥାତ୍ ଦେଶର ପ୍ରତି ଚାରିଜଣ ବୟସ୍କଙ୍କ ମଧ୍ୟରୁ ତିନିଜଣ (୭୫.୪%) ଅନ୍ତତଃ ଗୋଟିଏ ଟିକା ନେଇଛନ୍ତି।
ଦୈନିକ ସଂକ୍ରମଣରେ ୨୬% ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲାରେ ଆଜି ବୃଦ୍ଧି ଘଟିଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ମାମଲାରେ ୨୬ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୧୮,୪୫୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୨୭,୪୫୦ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତକଙ୍କ ସଂଖ୍ୟା ୪,୫୨,୮୧୧କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ଏବେ ୯୮.୧୫ ପ୍ରତିଶତ। ଇତି ମଧ୍ୟରେ ଦେଶରେ କୋଭିଡ୍ ଟିକାକରଣ ଆଜି ୧୦୦ କୋଟି ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ୮୫.୩୭ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୧୧,୧୫୦ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୮୨୫,ତାମିଲନାଡ଼ୁରେ ୧୧୭୦, ପଶ୍ଚିମବଙ୍ଗରେ ୮୬୭ ଏବଂ ମିଜୋରାମରେ ୭୪୧ ମାମଲା ଚିହ୍ନଟ ହୋଇଛି। ମୋଟ୍ ସଂକ୍ରମଣ ମାମଲାର ୬୦.୪୨ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। କେରଳରେ ମଧ୍ୟ ସର୍ବାଧିକ ୮୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ୍ ୧୭,୫୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୩୪,୯୫,୮୦୮ରେ ପହଞ୍ଚିଛି ଏବଂ ସକ୍ରିୟ ମାମଲା ୧,୭୮,୮୩୧ ରହିଛି।