ଭାରତରେ କରୋନା ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ : ୯୫% ଟପିଲା ସୁସ୍ଥଙ୍କ ସଂଖ୍ୟା

ସେପଟେ ଟିକା ପାଇଁ ପ୍ରସ୍ତୁତ ହେଉଛି ଭାରତ; ଆରମ୍ଭ ହେଲାଣି ଟିକାକରଣ ପାଇଁ ତାଲିମ ପ୍ରକ୍ରିୟା

111

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଭଲ ଖବର । ଦେଶରେ କରୋନା ଆରୋଗ୍ୟ ହାର ୯୫ ପ୍ରତିଶତରୁ ଟପିଯାଇଛି । ଏହା ହେଉଛି ବିଶ୍ୱରେ ସର୍ବାଧିକ । ଦେଶରେ ଦୈନିକ ସଂକ୍ରମଣ ମାମଲା ଗତ ୨୪ ଘଂଟା ମଧ୍ୟରେ ୨୨ ହଜାରରୁ ସାମାନ୍ୟ ଅଧିକ ରହିଥିଲା । ଗତ ୫ ମାସ ମଧ୍ୟରେ ଏହା ହେଉଛି ସବୁଠାରୁ କମ ମାମଲା । ଦେଶରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୯୪ ଲକ୍ଷରୁ ଅଧିକ ରହିଛି । ଏହି ଆରୋଗ୍ୟ ହାର ୯୫ ଦଶମିକ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବଢୁଛି ଓ ମୃତ୍ୟୁ ହାର ଲଗାତାର ଭାବେ କମୁଛି । ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ମୋଟ ୭୪ ଦଶମିକ ୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ।
ସେପଟେ କରୋନା ମୁକାବିଲାର ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ଭାରତ । ସାରା ଦେଶରେ ବର୍ତମାନ ସୁଦ୍ଧା ୨୯ ହଜାର କୋଲଡ ଚେନ୍ , ୪୧ ହଜାର ଡିପ୍ ଫ୍ରିଜର କରୋନା ଟିକାର ସଂରକ୍ଷଣ ପାଇଁ ପ୍ରସ୍ତୁତ ସରିଲାଣି । ସାରା ଦେଶରେ କରୋନା ଟିକାକରଣ ପାଇଁ କିପରି ଚାଲିଛି ପ୍ରସ୍ତୁତି ସେ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ସହିତ ୩୦୦ ସୋଲାର ରେଫ୍ରିଜିରେଟର ମଧ୍ୟ କରୋନା ଟିକାକରଣରେ ବ୍ୟବହାର ହେବ ବୋଲି ସୂଚନା ଦିଆଯାଇଛି । ଏକ ସାଂବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ପ୍ରତ୍ୟକ ରାଜ୍ୟ ସରକାର ମାନଙ୍କୁ ବିଜୁଳି ଚାଳିତ ରେଫ୍ରିଜିରେଟର ଏବଂ ଅଣବିଜୁଳି ଚାଳିତ ରେଫ୍ରିଜିରେଟର ପରିଚାଳନା ନେଇ ଗାଇଡଲାଇନ୍ ଜାରି କରିଦିଆଯାଇଛି ।

ମୋଟ୍ ଉପରେ ୨୯ ହଜାର କୋଲଡ୍ ଚେନ୍ ପଏଂଟ, ୨୪୦ ୱାକ୍ ଇନ୍ କୁଲର, ୭୦ଟି ୱାକ୍ ଫ୍ରିଜର, ୪୫ ହଜାର ବରଫ ଯୁକ୍ତ ରେଫ୍ରିଜିରେଟର, ୪୧ ହଜାର ଡିପ୍ ଫ୍ରିଜର ଏବଂ ୩୦୦ ସୋଲାର ରେଫ୍ରିଜିରେଟର ଭାରତରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏନେଇ ସମସ୍ତ ଯନ୍ତ୍ରାଂଶ ରାଜ୍ୟ ସରକାରମାନଙ୍କୁ ପଠାଇ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଷ୍ଟେଟ୍ ଷ୍ଟିୟରିଂ କମିଟି ଏବଂ ଷ୍ଟେଟ୍ ଟାସ୍କ ଫୋର୍ସ ସହିତ ବୈଠକ ଶେଷ କରିଛନ୍ତି ।

ସେହିପରି ଦେଶର ୬୩୩ଟି ଜିଲ୍ଲା ଡିଷ୍ଟିକ୍ଟ ଟାସ୍କ ଫୋର୍ସ ସହିତ ମଧ୍ୟ ଟିକାକରଣ ନେଇ ପୁରା ଆଲୋଚନା କରି ସାରିଥିବା ସେ ସୂଚନା ଦେଇଛନ୍ତି । ଆଗକୁ ଟିକକରଣ ପାଇଁ ମେଡିକାଲ ଅଫିସର, ଟିକାଦାୟିତ୍ୱରେ ଥିବା ଅଫିସର, କୋଲଡ୍ ଚେନ୍ ପରିଚାଳନା ଦାୟିତ୍ୱ ନେଉଥିବା କର୍ମଚାରୀ, ସୁପରଭାଇଜର, ଡାଟା ମ୍ୟାନେଜର, ଆଶା ସଂଯୋଜକଙ୍କ ତାଲିକା ସରିଛି । ଏନେଇ ତାଲିମ କାମ ମଧ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟକ ଟିକାକରଣ ସ୍ଥଳରେ ୧୦୦ରୁ ୨୦୦ ମଧ୍ୟରେ ଲୋକଙ୍କୁ ଟିକା ଦିଆଯିବ । ଟିକା ଦିଆଯିବା ପରେ ୩୦ ମିନିଟ୍ ଯାଏଁ ସେମାନଙ୍କୁ ଅନୁଧ୍ୟାନରେ ରଖାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।