୨୪ ଘଂଟାରେ ୪୨୫ ମୃତ, ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ: ମହାରାଷ୍ଟ୍ର ଓ ଦିଲ୍ଲୀରେ ବଢୁଛି ସଂକ୍ରମଣ: ଋଷକୁ ପଛରେ ପକାଇ ବିଶ୍ୱରେ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେଲା ଭାରତ

1,546

କନକ ବ୍ୟୁରୋ: ଦେଶରେ ୭ ଲକ୍ଷର ନିକଟତର ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୪ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷର ଅତି ନିକଟତର ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ସାରା ଦେଶରେ ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୫ ଜଣଙ୍କ ମୁଣ୍ଡ ନେଇଛି କୋଭିଡ ଭୂତାଣୁ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ ଛୁଇଁଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ୨ ଲକ୍ଷ ୫୩ ହଜାର ୨୮୭ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି ।

ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ୪ ଲକ୍ଷ ୨୪ ହଜାର ୪୩୨ ଜଣ । ୪୨୫ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୯ ହଜାର ୬୯୩ କୁ ବୃଦ୍ଧି ହୋଇଛି । ଦେଶରେ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସ୍ଥିତି ରହିଛି ଚିନ୍ତାଜନକ । ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୬ ହଜାର ୬୧୯ ଛୁଇଁଲାଣି । ବର୍ତମାନ ମହାରାଷ୍ଟ୍ରରେ ୮୬ ହଜାର ୫୭ ଆକ୍ଟିଭ୍ କେସ୍ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ହଜାର ୮୨୨ କୁ ବୃଦ୍ଧି ହୋଇଛି । ସେପଟେ ଦିଲ୍ଲୀରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷର ନିକଟତର ହୋଇଯାଇଛି । ଦିଲ୍ଲୀରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୯୯ ହଜାର ୪୪୪ ଛୁଇଁଛି ।

କରୋନା ସଂକ୍ରମଣରେ ବିଶ୍ୱରେ ଏବେ ଭାରତ ତୃତୀୟ ସ୍ଥାନରେ । ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ତାଲିକାରେ ଋଷକୁ ପଛରେ ପକାଇ ଭାରତ ତାଲିକାର ତୃତୀୟ ସ୍ଥାନକୁ ଉଠିଛି । ଋଷ ଏବେ ସଂକ୍ରମଣ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି । ଭାରତ ଏବେ ବିଶ୍ୱର ତୃତୀୟ ନଂବର ଆକ୍ରାନ୍ତ ଦେଶ ହୋଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ସୋମବାର ସକାଳ ୮ଟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଭାରତରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ ହେଲାଣି । ତେବେ ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ରୁଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୮୦ ହଜାର ୨୮୩ ରହିଛି । ଭାରତ ଉପରେ ଅଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି । ଆମେରିକାରେ ୨୯ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୧୬ ଲକ୍ଷରୁ ଅଧିକ ସଂକ୍ରମିତ ଠାବ ହୋଇଛନ୍ତି ।